ଲକ୍ଷ୍ନୌ:ନବରାତ୍ରୀ ପୂଜାର ସପ୍ତମୀ ଦିନରେ ରକ୍ତରଞ୍ଜିତ ହେଲା ଦେବୀ ମନ୍ଦିର । ବଳି ପକାଇବା ଉଦ୍ଦେଶ୍ୟରେ ଜିଭ କାଟିଲେ ଭକ୍ତ । ଭକ୍ତଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ଖେଳିଯାଇଛି । ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାର କଲ୍ୟାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଭକ୍ତ ଜଣକ ନିଜ ଜିଭ କାଟି ଦେବୀ ମା'ଙ୍କୁ ଅର୍ପଣ କରିଛି । ଏହି ଖବର ବ୍ୟାପିବା ପରେ ମନ୍ଦିରରେ ଅନେକ ଲୋକଙ୍କ ଭିଡ଼ ଜମିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଭକ୍ତକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।
ନବରାତ୍ରୀ ପୂଜା ଲାଗି ଅନେକ ଶ୍ରଦ୍ଧାଳୁ ଦେବୀ ମା'ଙ୍କ ମନ୍ଦିରରେ ଭିଡ଼ ଜମାଇଥିଲେ । ଏହି ସମୟରେ ଭକ୍ତ ଜଣକ ନିଜ ଜିଭ କାଟିଥିଲେ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କଲ୍ୟାଣପୁର ଥାନା ଅଧିକାରୀ ନିରଜ ଯାଦବି କହିଛନ୍ତି, " ଗୁଗୌଲି ଗ୍ରାମ ନିକଟ ଶିବ ଭବାନୀ ମାତା ମନ୍ଦିରରେ ଜଣେ ଭକ୍ତ ବାବୁରାମ ପାସୱାନ (୬୫) ନିଜ ଅଧା ଜିଭ କାଟି ମା'ଙ୍କୁ ଅର୍ପଣ କରିଛି । ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ରକ୍ତ ଜୁଡୁବୁଡୁ ହୋଇପଡ଼ିଥିଲା । ଏହି ଖବର ସମ୍ପର୍କରେ ପୋଲିସ ଅବଗତ ହେବା ପରେ ସଙ୍ଗେ ସଙ୍ଗେ ମନ୍ଦିରରେ ପହଞ୍ଚି ବାବୁରାମଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।