ମୁମ୍ବାଇ:ଗୁଜୁରାଟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ 11 ଅଭିଯୁକ୍ତଙ୍କୁ ଖଲାସ କରାଯାଇଛି । ଦୁର୍ଷ୍କମକାରୀଙ୍କର ଏପରି ଖଲାସ ହେବାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ଗଣଦୁଷ୍କର୍ମକାରୀଙ୍କୁ କ୍ଷମା ନୀତି ବଳରେ ଜେଲରୁ ଖଲାସ ହେବା ପରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ବାଗତ କରାଯିବାକୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସମାଲୋଚନା କରିଛନ୍ତି ।
ଗୁଜରାଟ ସରକାର ସ୍ବତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ । ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲ ମାଳ ଓ ମିଠା ଦେଇ ସ୍ବାଗତ କରାଯାଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ସେହିପରି ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ନେଇ ବିବାଦ ଚାଲିଥିବା ବେଳେ ଫଡନାଭିସ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମହାରାଷ୍ଟ୍ର ବିଧାନସଭାରେ ବାନ୍ଦ୍ରାରେ ଘଟିଥିବା ଦୁଷ୍କର୍ମ ଘଟଣାର ବିତର୍କ ଚାଲିଥିବା ବେଳେ ବିଲକିସ୍ ବାନୋ ମାମଲା ଉଠିଥିଲା । ଏହା ଉପରେ ମତ ରଖି ଫଡନାଭିସ କହିଥିଲେ ଯେ, ''ଗୃହରେ ବିଲକିସ ବାନୋଙ୍କ ଘଟଣା ଉଠାଇବାର କୌଣସି କାରଣ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୦୨ ମସିହା ଗୁଜରାଟର ବିଲକିସ ବାନୋ ଘଟଣାରେ ଦୋଷୀମାନଙ୍କୁ ଖଲାସ କରାଯାଇଛି । ସେମାନେ ପ୍ରାୟ ୨୦ ବର୍ଷ ଜେଲରେ ରହିଥିଲେ । କିନ୍ତୁ ଅପରାଧିକ ମାମଲାରେ ଅଭିଯୁକ୍ତଙ୍କୁ ଭବ୍ୟ ସ୍ବାଗତ କରିବା ସଂପୂର୍ଣ୍ଣ ଭୁଲ । ଏପରି ଆଚରଣ ପାଇଁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଠିକ ନୁହେଁ। ଜଣେ ଅଭିଯୁକ୍ତ ସବୁବେଳେ ଅଭିଯୁକ୍ତ । ସେଭଳି ଲୋକଙ୍କୁ ସ୍ବାଗତ କରିବାର କାରଣ କିଛି ବି ନାହିଁ ।''