ହାଇଦ୍ରାବାଦ: ନଭେମ୍ବର 30ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଯାଇଛି ଭୋଟ୍ ଗ୍ରହଣ । ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ଭୋଟର । ହେଲେ ମାଞ୍ଚିରୟାଲା ଜିଲ୍ଲାର ଭୋଟର ପୁଦାରି ଶ୍ରୀନିବାସ ମତଦାନରୁ ବଞ୍ଚିତ ହୋଇଛନ୍ତି । ଭୋଟ ଦେବାକୁ ସୁଦୂର ନ୍ୟୁଜିଲାଣ୍ଡରୁ ଘରକୁ ଆସିଥିଲେ ଶ୍ରୀନିବାସ । ସେ ସଠିକ ସମୟରେ ଭୋଟ୍ କେନ୍ଦ୍ରରେ ପହଞ୍ଚିଥିଲେ । ହେଲେ ଭୋଟ୍ ଦେଇ ପାରିଲେନି ଶ୍ରୀନିବାସ ।
ତେଲେଙ୍ଗାନାର ମାଞ୍ଚିରୟାଲା ଜିଲ୍ଲା ଚିଣ୍ଟାଗୁଡ଼ା ବାସିନ୍ଦା ପୁଦାରି ଶ୍ରୀନିବାସ । ସେ ଗତ 15 ବର୍ଷ ଧରି ନ୍ୟୁଜିଲ୍ୟାଣ୍ଡର ଏକ କମ୍ପାନୀରେ ୱେଲଡର ଭାବେ ଚାକିରି କରୁଛନ୍ତି । ଏଥର ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶ୍ରୀନିବାସ ଘରକୁ ଆସିଥିଲେ । ଭୋଟ୍ ଦେବା ସହ ପରିବାର ସହ ସମୟ କାଟିବାକୁ ଯୋଜନା କରିଥିଲେ । ଯୋଜନା ଅନୁସାରେ ଶ୍ରୀନିବାସ ତାଙ୍କ ପତ୍ନୀଙ୍କୁ ଧରି ନିର୍ବାଚନ ପୂର୍ବରୁ ଘରେ ପହଞ୍ଚିଥିଲେ । ମାତ୍ର ଯେଉଁ ମୁଖ୍ୟ ଲକ୍ଷ୍ୟ ନେଇ ସେ ଆସିଥିଲେ ତାହା ପୂରଣ ହେଲାନାହିଁ । ସୁଦୂର ବିଦେଶରୁ ଆସି ମଧ୍ୟ ସେ ଭୋଟଦାନରୁ ବଞ୍ଚିତ ହୋଇଛନ୍ତି।
ଏହାମଧ୍ୟ ପଢ଼ନ୍ତୁ: ସେମିଫାଇନାଲ ଫାଇଟ: 3ରେ 5 ରାଜ୍ୟର ଜନାଦେଶ, ମୋଦି ଏବଂ ରାହୁଲଙ୍କ ପାଇଁ ଏସିଡ୍ ଟେଷ୍ଟ
ଶ୍ରୀନିବାସ ଏବଂ ତାଙ୍କ ପତ୍ନୀ ନ୍ୟୁଜିଲାଣ୍ଡରୁ ବିମାନରେ ନିଜ ରାଜ୍ୟକୁ ଫେରିଥିଲେ । ଏହି ଯାତ୍ରା ପାଇଁ ସେ ଖର୍ଚ୍ଚ କରିଥିଲେ ଅଢ଼େଇ ଲକ୍ଷ (2.5 lakh) ଟଙ୍କା । ନଭେମ୍ବର 30 ତାରିଖରେ ତେଲେଙ୍ଗାନାରେ ଭୋଟ ନିଆଯାଇଥିବା ବେଳେ, ମତଦାନ କେନ୍ଦ୍ରକୁ ଯାଇଥିଲେ ଶ୍ରୀନିବାସ । ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତାଙ୍କ ପାଖରେ ଭୋଟର କାର୍ଡ ଥିଲେ ମଧ୍ୟ, ଭୋଟର ତାଲିକାରେ ନଥିଲା ତାଙ୍କ ନାଁ । ଫଳରେ ଭୋଟଦାନରୁ ବଞ୍ଚିତ ହୋଇଥିଲେ ଶ୍ରୀନିବାସ ।