ଓଡିଶା

odisha

ETV Bharat / bharat

‘ମହାମେଣ୍ଟ’ ସତ୍ତ୍ବେ ଆସାମରେ ସଂଖ୍ୟାଲଘୁ ଭୋଟ ବିଭାଜନ ନିଶ୍ଚିତ ପ୍ରାୟ - Assam assembly

ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସଂଖ୍ୟାଲଘୁ ଭୋଟ୍ ବିଭାଜନ ରୋକିବାକୁ କଂଗ୍ରେସ ଏବଂ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ସମେତ ବିରୋଧୀ ଦଳଗୁଡ଼ିକ "ମହାଗଠବନ୍ଧନ" ବା “ମହାମେଣ୍ଟ” ଗଠନ କରିଛନ୍ତି। ଅଧିକ ପଢନ୍ତୁ...

ଆସାମରେ ସଂଖ୍ୟାଲଘୁ ଭୋଟ ବିଭାଜନ ନିଶ୍ଚିତ ପ୍ରାୟ
ଆସାମରେ ସଂଖ୍ୟାଲଘୁ ଭୋଟ ବିଭାଜନ ନିଶ୍ଚିତ ପ୍ରାୟ

By

Published : Mar 20, 2021, 10:17 AM IST

ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସଂଖ୍ୟାଲଘୁ ଭୋଟ୍ ବିଭାଜନ ରୋକିବାକୁ କଂଗ୍ରେସ ଏବଂ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ସମେତ ବିରୋଧୀ ଦଳଗୁଡ଼ିକ "ମହାଗଠବନ୍ଧନ" ବା “ମହାମେଣ୍ଟ” ଗଠନ କରିଛନ୍ତି। ଏହା ସତ୍ତ୍ବେ ଭାଗୀଦାର ଦଳ ଗୁଡ଼ିକ ମଧ୍ୟରେ ସହମତିର ଅଭାବ ହେତୁ ସଂଖ୍ୟାଲଘୁ ଭୋଟ ବିଭାଜନ ହେବା ପ୍ରାୟ ନିଶ୍ଚିତ ଜଣାପଡୁଛି ।

କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ସଂଖ୍ୟାଲଘୁ ପ୍ରାଧାନ୍ୟ ଥିବା କିଛି ନିର୍ବାଚନମଣ୍ଡଳୀରେ ସେମାନଙ୍କର ନିଜ ନିଜ ପ୍ରାର୍ଥୀ ଛିଡ଼ା କରିଛନ୍ତି। ଏହି କାରଣରୁ କିଛି ନିର୍ଦ୍ଦିଷ୍ଟ ଆସନରେ 2016 ନିର୍ବାଚନ ଫଳାଫଳର ପୁନରାବୃତ୍ତି ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଅନୁଭବ କରୁଛନ୍ତି । ଏସବୁ ଆସନରେ ସଂଖ୍ୟା ବହୁଳ ମୁସଲମାନ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। 2016 ବିଧାନସଭା ନିର୍ବାଚନରେ ମୁସଲିମ୍ ସଂଖ୍ୟାଗରିଷ୍ଠ ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ଏବଂ ଏଆଇୟୁଡିଏଫ୍ ମଧ୍ୟରେ ଭୋଟ ବିଭାଜନ କାରଣରୁ ବିଜେପିକୁ ଫାଇଦା ମିଳିଥିଲା। 52 ପ୍ରତିଶତ ସଂଖ୍ୟାଲଘୁ ଭୋଟର ଥିବା ସତ୍ତ୍ବେ ବାଟଦ୍ରବା ବିଧାନସଭା କ୍ଷେତ୍ରରେ ବିଜେପି 2016ରେ ବିଜୟୀ ହୋଇଥିଲା । ବିଜେପିର ଅଙ୍ଗ୍ରୋଲତା ଡେକା 46 ହଜାର 343 ଭୋଟ ପାଇଥିବା ବେଳେ କଂଗ୍ରେସ ଓ ଏଆଇୟୁଡିଏଫ୍ ପ୍ରାର୍ଥୀ ଯଥାକ୍ରମେ 38 ହଜାର 458 ଏବଂ 33 ହଜାର 22 ଖଣ୍ଡ ଭୋଟ ପାଇଥିଲେ। ଏଥିରୁ ସ୍ପଷ୍ଟ ହୋଇଯାଇଥିଲେ ଯେ, କଂଗ୍ରେସ ଓ ଏଆଇୟୁଡିଏଫ୍ ମଧ୍ୟରେ ଭୋଟ ବିଭାଜନ କାରଣରୁ ବିଜେପିକୁ ଫାଇଦା ମିଳିଥିଲା ।

ଏଥର ମଧ୍ୟ ବିଜେପି ବର୍ତ୍ତମାନର ବିଧାୟକ ଅଙ୍ଗ୍ରୋଲତା ଡେକାଙ୍କୁ ପ୍ରାର୍ଥୀ କରିଛି, ଏପଟେ ଉଭୟ କଂଗ୍ରେସ ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ମହାମେଣ୍ଟ ଗଠନ କରିଥିବା ସତ୍ତ୍ବେ ପୃଥକ୍ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ ଶିବମଣି ବୋରାଙ୍କୁ ଛିଡ଼ା କରିଥିବା ବେଳେ ଆଞ୍ଚଳିକ ଗଣ ମୋର୍ଚ୍ଚା ମାନବାଧିକାର କର୍ମୀ ଲଚିତ୍ ବର୍ଦ୍ଦୋଳିଙ୍କୁ ବାଟଦ୍ରବାରୁ ପ୍ରାର୍ଥୀ କରିଛି । ପର୍ଯ୍ୟବେକ୍ଷକଙ୍କ ମତରେ ଏଥର ମଧ୍ୟ ଏଠାରେ ସଂଖ୍ୟାଲଘୁ ଭୋଟ ତିନି ଭାଗରେ ବିଭକ୍ତ ହେବ, ଫଳରେ ବିଜେପି ପୁଣି ଥରେ ଏଥିରୁ ଫାଇଦା ଉଠାଇବ। ସଂଖ୍ୟାଲଘୁ ଭୋଟରଙ୍କ ପ୍ରାଧାନ୍ୟ ଥିବା ସାରୁକ୍ଷେତ୍ରୀ ଆସନରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହେବ । କଂଗ୍ରେସର ବର୍ତ୍ତମାନ ବିଧାୟକ ଜାକୀର ହୁସେନ ସିକଦାର ଏଠାରୁ ପୁନଃ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଏଆଇୟୁଡିଏଫ୍ ମୀନାକ୍ଷୀ ରହମନଙ୍କୁ ଦଳ ପକ୍ଷରୁ ଛିଡ଼ା କରିଛି । ଏହି ନିର୍ବାଚନ କ୍ଷେତ୍ରରେ ମୋଟ 2 ଲକ୍ଷ 70 ହଜାର ଭୋଟର ଥିବା ବେଳେ ଏମାନଙ୍କ ମଧ୍ୟରୁ 70 ପ୍ରତିଶତ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ଯଦିଓ କଂଗ୍ରେସ ଓ ଏଆଇୟୁଡିଏଫ୍ ସାରୁକ୍ଷେତ୍ରୀରେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେଉଥିବା କହୁଛନ୍ତି ତଥାପି ଏଠାରେ ଭୋଟ ବିଭାଜନ ଜଳ ଜଳ ଦିଶୁଛି, ଏଥିରୁ ଆସାମ ଗଣ ପରିଷଦ (ଏଜିପି) ପ୍ରାର୍ଥୀ କଳ୍ପନା ପଟୱାରୀ ଫାଇଦା ଉଠାଇପାରନ୍ତି ବୋଲି ଆଶା କରାଯାଉଛି । 2016 ବିଧାନସଭା ନିର୍ବାଚନରେ କଂଗ୍ରେସର ଜାକୀର ହୁସେନ ସିକଦାର 70 ହଜାର 62 ଖଣ୍ଡ ଭୋଟ ପାଇଥିବା ବେଳେ ଏଆଇୟୁଡିଏଫ୍ ପ୍ରାର୍ଥୀ ଅଲ୍ଲୀ ହୁସେନଙ୍କୁ ମାତ୍ର 21 ହଜାର 460 ଖଣ୍ଡ ଭୋଟ ମିଳିଥିଲା। ଏଜିପି ପ୍ରାର୍ଥୀ ଚିତ୍ତରଂଜନ ବର୍ମା 2016ରେ ସାରୁକ୍ଷେତ୍ରୀରେ 45 ହଜାର 815 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।


ନାଓବୋଇଚା ହେଉଛି ଆଉ ଏକ ନିର୍ବାଚନ କ୍ଷେତ୍ର ଯେଉଁଠି ଏଥର ଭୋଟ ବିଭାଜନ ଆଶା କରାଯାଉଛି । 2016ରେ ଏଆଇୟୁଡିଏଫ୍ ପ୍ରାର୍ଥୀ ମାମୁନ ଇମଦାଦୁଲ ହକ୍ ଚୌଧୁରୀ ଏହି ଆସନରୁ ବିଜୟୀ ହୋଇଥିଲେ । ଅବଶ୍ୟ ଏଥର ଏଆଇୟୁଡିଏଫ୍ ଏହି ଆସନ କଂଗ୍ରେସକୁ ଛାଡ଼ି ଦେଇଛି । କଂଗ୍ରେସ ଏଥର ପୂର୍ବତନ ମନ୍ତ୍ରୀ ଭାରତ ନାରାଙ୍କୁ ପ୍ରାର୍ଥୀ କରିଛି । ନାରା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀ ହୋଇନଥିବା ବେଳେ ଏଆଇୟୁଡିଏଫର ଟିକେଟ ଆଶାୟୀ ତଥା ଅଲ୍ ମାଇନୋରିଟି ଷ୍ଟୁଡେଣ୍ଟସ ୟୁନିଅନ (ଏଏମଏସୟୁ)ର ପୂର୍ବତନ ନେତା ଅଜିଉର ରହମନ ଏଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି । ଏଥର ଏଠାରେ ଭୋଟ ବିଭାଜନ କାରଣରୁ ଏଜିପି ପ୍ରାର୍ଥୀ ଜୟନ୍ତ ଖାଉନ୍ଦ ବିଜୟୀ ହେଲେ କେହି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ । ବାରପେଟା ଜିଲ୍ଲା ଚେଙ୍ଗା ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । କଂଗ୍ରେସ ଓ ଏଆଇୟୁଡିଏଫ୍ ଏଠାରେ ବନ୍ଧୁତ୍ବପୂର୍ଣ୍ଣ ଲଢେଇ କରିବାକୁ ସ୍ଥିର କରିଛନ୍ତି । କଂଗ୍ରେସ ଏବେକାର ବିଧାୟକ ସୁକୁର ଅଲ୍ଲିଙ୍କୁ ଟିକେଟ ଦେଇଥିବା ବେଳେ ଏଆଇୟୁଡିଏଫ୍ ଜଣେ ଯୁବ ତଥା ଟାଣୁଆ ନେତା ଆସରଫୁଲ ହୁସେନଙ୍କୁ ପ୍ରାର୍ଥୀ କରିଛି । ଚେଙ୍ଗାରେ ଯଦିଏ 65 ପ୍ରତିଶତ ସଂଖ୍ୟାଲଘୁ ଭୋଟର ରହିଛନ୍ତି, କଂଗ୍ରେସ ଏବଂ ଏଆଇୟୁଡିଏଫ୍ ମଧ୍ୟରେ ଭୋଟ ବିଭାଜନରୁ ଏଜିପି ପ୍ରାର୍ଥୀ ଫାଇଦା ଉଠାଇ ପାରନ୍ତି ।


ଗୌତମ ବରୁଆ
ବରିଷ୍ଠ ରିପୋର୍ଟର, ଇଟିଭି ଭାରତ ଆସାମ(ଗୌହାଟୀ ବ୍ୟୁରୋ)

ABOUT THE AUTHOR

...view details