କୋଭିଡ୍-19 ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଦେଖାଦେବା ଦିନରୁ ହିଁ ସାରା ବିଶ୍ବର ଅଧିକାଂଶ ଦେଶରେ ସ୍ବାସ୍ଥ୍ୟସେବା ନିମନ୍ତେ ସ୍ଥିରୀକୃତ ସମ୍ବଳ ଏବଂ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀମାନଙ୍କୁ ମୁଖ୍ୟତଃ କୋଭିଡ୍-19 ରୋଗୀଙ୍କ ଚିକିତ୍ସା, ଘରକୁ ଘର ବୁଲି ରୋଗ ପରୀକ୍ଷଣ ଏବଂ ଏହି ବିଶ୍ବ ମହାମାରୀର ନିୟନ୍ତ୍ରଣ ଦିଗରେ ଆବଶ୍ୟକ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିୟୋଜନ କରାଯାଇଛି । ଏଭଳି ଦୃଶ୍ୟପଟ୍ଟରେ. ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦୁର୍ବଳ ଓ ଭଙ୍ଗୁର ଭିତ୍ତିଭୂମି ବିଶିଷ୍ଟ ଭାରତ ଭଳି ଦେଶଗୁଡ଼ିକୁ ମାତୃ ସ୍ବାସ୍ଥ୍ୟ ଭଳି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ସମ୍ବଳର ଅଭାବ ଜନିତ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଛି । କୋଭିଡ୍-19 ପ୍ରାଦୁର୍ଭାବ ଆରମ୍ଭ ହେବା ସମୟରେ ଯୌନ ଓ ପ୍ରଜନନ କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ସମ୍ଭବ ନହେବା କାରଣରୁ ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA)ର ଆକଳନ ଅନୁସାରେ, ଏହି ସଂକଟ କାରଣରୁ ସାରା ବିଶ୍ବରେ 70 ଲକ୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣ ହୋଇଥାଇପାରେ । ଅସୁରକ୍ଷିତ ଗର୍ଭପାତ ଏବଂ ପର୍ଯ୍ୟାପ୍ତ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଅଭାବରୁ ପ୍ରସବ ସମୟରେ ଜଟିଳତା କାରଣରୁ ହଜାର ହଜାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି ।
ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଶିଶୁ ପାଣ୍ଠି ବା ୟୁନିସେଫ୍ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚରୁ ଡିସେମ୍ବର ମାସ ଭିତରେ ଭାରତରେ 2 କୋଟି ଶିଶୁ ଜନ୍ମ ନେଇଥିବା ଆକଳନ କରାଯାଇଛି ଏବଂ ଏହା ସାରା ବିଶ୍ବରେ ସର୍ବାଧିକ । ଏହା ସାଙ୍ଗକୁ, ଏହି ବିଶ୍ବ ମହାମାରୀ ସମୟରେ ସମଗ୍ର ବିଶ୍ବରେ ଗର୍ଭବତୀ ମାଆ ଓ ଜନ୍ମ ନେଇଥିବା ଶିଶୁମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ଦେଖାଦେବା ସହିତ ସେମାନଙ୍କୁ ଉପଯୁକ୍ତ ସେବା ପ୍ରଦାନରେ ବ୍ୟାଘାତ ଘଟିଛି ବୋଲି ୟୁନିସେଫ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହାର ଅର୍ଥ ହେଲା, ଭାରତରେ କୋଭିଡ୍-19 ବିଶ୍ବ ମହାମାରୀର ମୁକାବିଲା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଠିକ ସମୟରେ ଗର୍ଭାବସ୍ଥା ପରୀକ୍ଷଣ ଏବଂ ଅତ୍ୟଧିକ ମାତୃ ଓ ଶିଶୁ ମୃତ୍ୟୁହାର ପ୍ରଭୃତି ମାତୃ ସ୍ବାସ୍ଥ୍ୟ କ୍ଷେତ୍ରରେ ଲାଗି ରହିଥିବା ସଂକଟର ସମାଧାନ ଦିଗରେ ମଧ୍ୟ ସମୁଚିତ ପଦକ୍ଷେପ ନିଆଯିବା ଦରକାର ।
କୋଭିଡ୍-19 ସମୟରେ ଭାରତରେ ମାତୃ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ବଳ ଅଭାବ ପ୍ରସଙ୍ଗ ବିଚାରକୁ ନେଇ,ଗର୍ଭବତୀ ମହିଳାମାନଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ସାରା ଦେଶରେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ପ୍ରୟୋଗ ପ୍ରସ୍ତାବକୁ ବିଚାର କରିବା ଗୁରୁତ୍ବପୂର୍ଣ୍ଣ ମନେହୁଏ । ଏ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ଦେଶର କେତେକ ଅଞ୍ଚଳରେ ଏଭଳି କେତେକ ଅଭିନବ ପନ୍ଥାର ପ୍ରଚଳନ ଲକ୍ଷ୍ୟ କରାଯାଇଛି । ଉଦାହରଣ ସ୍ବରୂପ, ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାମାନଙ୍କ ଦ୍ବାରା ବ୍ୟବହୃତ ‘ଆରୋଗ୍ୟ ସାକ୍ଷୀ’ ନାମକ ଏକ ମୋବାଇଲ ଆପ୍, ଯାହାକୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅପର୍ଣ୍ଣା ହେଗଡ଼େ ପ୍ରସ୍ତୁତ କରିଛନ୍ତି । ‘ଆରୋଗ୍ୟ ସାକ୍ଷୀ’ ସହାୟତାରେ ଆଶା କର୍ମୀମାନେ ହସ୍ପିଟାଲକୁ ଯାଇପାରୁ ନଥିବା ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ପୂର୍ବବର୍ତ୍ତୀ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇପାରୁଛନ୍ତି । ଭାରତର ମାତୃ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ପ୍ରସ୍ତୁତ ଏହିଭଳି ଆଉ ଏକ ଅଭିନବ ଉପାୟର ଉଦାହରଣ ହେଉଛି ‘ଆଲିଆନ୍ସ ଫର୍ ସେଭିଙ୍ଗ ମଦର୍ସ ଆଣ୍ଡ ନିୟୁବର୍ଣ୍ଣସ୍’ (ASMAN) ।
ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ମାଆ ଓ ନବଜାତ ଶିଶୁମାନଙ୍କର ଜୀବନ ରକ୍ଷା ନିମନ୍ତେ ବ୍ୟବହାର କରାଯାଉଥିବା ଏହି ନୂତନ ଏବଂ ଅଭିନବ ଉପାୟ ହେଉଛି ଏକ ଡିଜିଟାଲ ପ୍ଲାଟ୍ଫର୍ମ, ଯାହାକୁ କି ରାଜସ୍ଥାନ ଓ ମଧ୍ୟ ପ୍ରଦେଶ (ଯେଉଁ ସବୁ ରାଜ୍ୟରେ ମାତୃ ଓ ଶିଶୁମୃତ୍ୟୁ ହାର ସର୍ବାଧିକ)ରେ ଉପଯୋଗ କରାଯାଉଛି । ଯଦି ଦୁର୍ଗମ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୁଏ ଏବଂ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବା କଷ୍ଟକର ହୋଇଥାଏ, ତେବେ ସେହି ମଧ୍ୟବର୍ତ୍ତୀ ସମୟରେ ଇ-ପାର୍ଟୋଗ୍ରାଫ ଉପଯୋଗ କରିବା ଗୁରୁତ୍ବପୂର୍ଣ୍ଣ । କାରଣ, ଏହା ଦ୍ବାରା ଏକ ଡ୍ୟାସ୍ବୋର୍ଡ ଜରିଆରେ ଉକ୍ତ ମହିଳାଙ୍କର ପ୍ରସବ ପାଇଁ ଆଉ କେତେ ସମୟ ବାକି ରହିଛି ତାହା ଜାଣିହୁଏ ଏବଂ ପ୍ରସବ କାଳରେ ବିପଦ ଆଶଙ୍କା ରହିଥିଲେ କିମ୍ବା ତାଙ୍କୁ ଉଚ୍ଚତର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଆବଶ୍ୟକ ହେଉଥିଲେ ସେ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଆଯାଇପାରେ । ଏଭଳି ସମାଧାନର ପନ୍ଥା ସାରା ଦେଶରେ ଉପଲବ୍ଧ ହୋଇପାରିଲେ ଗ୍ରାମୀଣ ଭାରତରେ ଅନେକ ଜୀବନ ରକ୍ଷା କରାଯାଇପାରିବ ।