ହାଇଦ୍ରାବାଦ: ବ୍ରାଜିଲରେ ଦେଖାଯାଇଛି ରାଜନୈତିକ ଅସ୍ଥିରତା ଓ ହିଂସା (Democratic Riots in Brazil)। ପୂର୍ବତନ ରାଷ୍ଟ୍ରପତିଙ୍କ ହଜାର ହଜାର ସମର୍ଥକ ରାଜଧାନୀ ବ୍ରାସିଲିଆରେ ପ୍ରବେଶ କରି ସଂସଦ, ସୁପ୍ରିମକୋର୍ଟ, ରାଷ୍ଟ୍ରପତି ଭବନ ଦଖଲ କରିବାକୁ ଉଦ୍ୟମ କରିଛନ୍ତି । ରାଜଧାନୀ ବ୍ରାସିଲିଆରେ ବ୍ୟାପକ ହିଂସା ଦେଖାଯିବା ସହ ଗୃହଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି । ଫଳରେ ସେନା ମୁତୟନ ହେବାକୁ ପଡିଛି ।
ବ୍ରାଜିଲର ପୂର୍ବତନ ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜୈର ବୋଲସୋନାର (Jair Bolsonaro)ଙ୍କ ହଜାର ହଜାର ସମର୍ଥକ ରାଜଧାନୀ ବ୍ରାସିିଲିଆରେ ଏକାଠି ହେବା ସହ ସଂସଦ ଭବନ, ସୁପ୍ରିମକୋର୍ଟ, ରାଷ୍ଟ୍ରପତି ଭବନ ସମେତ ଅନ୍ୟ କିଛି ସାମ୍ବିଧାନିକ ଅନୁଷ୍ଠାନକୁ ଅକ୍ତିଆର କରିବାକୁ ଉଦ୍ୟମ କରିଥିଲେ । ଫଳରେ ବ୍ୟାପକ ଭଙ୍ଗାରୁଜା ଓ ଦଙ୍ଗା ସ୍ଥିତି ଦେଖିବାକୁ ମିଳିଥିଲା । ନବ ନିର୍ବାଚିତ ରାଷ୍ଟ୍ରପତି ଲୁଲା ଘଟଣାକୁ ନିନ୍ଦା କରିବା ସହ ଫାସିବାଦୀ କାର୍ଯ୍ୟକଳାପ ବୋଲି କହିଥିଲେ । ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ।
ବର୍ତ୍ତମାନର ରାଷ୍ଟ୍ରପତି ଲୁଲା ଦା ସିଲଭା (Luiz Inácio Lula da Silva) ହେଉଛନ୍ତି ବାମପନ୍ଥୀ ନେତା । ସେ ଅକ୍ଟୋବରରେ ହୋଇଥିବା ନିର୍ବାଚନରେ ବୋଲସୋନାରଙ୍କୁ ପରାଜିତ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଫଳାଫଳ ଠାରୁ ବ୍ରାଜିଲରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବା ବେଳେ ଏହା କ୍ରମଶଃ ଅସ୍ଥିରତା ଓ ଦଙ୍ଗାର ରୂପ ନେବା ପରି ସ୍ଥିତି ସୃଷ୍ଟି କରିବାକୁ ଲାଗିଲାଣି । ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ଲୁଲାଙ୍କୁ ରାଷ୍ଟ୍ରପତି ଭାବେ ଗ୍ରହଣ ନକରିବା ସହ ତାଙ୍କୁ କ୍ଷମତାରୁ ବିତାଡିତ କରିବା ପାଇଁ ରାଜଧାନୀ ବ୍ରାସିଲିଆ ସମେତ ବିଭିନ୍ନ ସହରରେ ପ୍ରତିବାଦ ଜାରି ରଖିଛନ୍ତି ।
ବ୍ରାଜିଲରେ ଗୃହଯୁଦ୍ଧ ପରିସ୍ଥିତି
ଅନ୍ୟପଟେ ବ୍ରାଜିଲରେ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ଓ ହିଂସା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି (PM Modi Deeply Concerned on Brazil Riots)। ସେ ଏନେଇ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଟ୍ୟାଗ କରି ଏକ ସମର୍ଥନମୂଳକ ଟ୍ବିଟ ମଧ୍ୟ କରିଛନ୍ତି । ଟ୍ବିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ବ୍ରାଜିଲରେ ଦେଖାଯାଇଥିବା ହିଂସା ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଏପରି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ସାମ୍ବିଧାନିକ ପରମ୍ପରାକୁ ସମ୍ମାନ ଦେବାକୁ ହେବ । ଏପରି ସମୟରେ ବ୍ରାଜିଲ ସରକାରଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି ।’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ