ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି । ଶନିବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଗତ ଦୁଇ ଦିନରେ ଚାଷ ଜମିରେ ନଡା ଜଳିବା ସହ ପରିବର୍ତ୍ତିତ ଜଳବାୟୁ ଯୋଗୁଁ ସହରର ବାୟୁ ବିଷାକ୍ତ ହୋଇପଡିଛି । ରାଜଧାନୀ ସମେତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ।
SAFAR ଅନୁଯାୟୀ, ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୨.୫ ପିଏମ ସହ ଅତ୍ୟନ୍ତ ଉଦବେଗଜନକ ରହିଛି । ନଡା ଜଳାଯିବା ଯୋଗୁଁ ଦିଲ୍ଲୀ ବାୟୁ ପ୍ରଦୂଷଣ ୧୪ ପ୍ରତିଶତ ବୃଦ୍ଧି ପାଇଛି । ଚାଷ ଜମିରେ ନଡା ପୋଡା ଘଟଣା ଧୀରେ ଧୀରେ ବଢିବା ସହ ପବନର ଗତ ମଧ୍ୟ ଏଥିପ୍ରତି ଅନୁକୂଳ ରହିଛି । ଯେଉଁ କାରଣରୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଆଜି ଦିଲ୍ଲୀରେ ବର୍ଷା ସମ୍ଭାବନା ଥିବାବେଳେ ଏହାଦ୍ବାରା ବାୟୁ ଗୁଣବତ୍ତାରେ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।