ନୂଆଦିଲ୍ଲୀ: ‘ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଗୁରୁତ୍ବ ଦେଇ ଦେଶରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନାନା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ହେଲେ ଦିଲ୍ଲୀ ଟ୍ରାଫିକ ପୋଲିସର ଏକ ଘୃଣ୍ୟ କାର୍ଯ୍ୟ ସମସ୍ତଙ୍କୁ ଲଜ୍ଜିତ କରିଛି । ଜଣେ କୋରିଆ ନାଗରିକଙ୍କଠାରୁ 5 ହଜାର ଟଙ୍କା ଲାଞ୍ଚ ନେଇ କ୍ୟାମେରାରେ ଧରାପଡିଛନ୍ତି ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ ଅଧିକାରୀ । ଏହି ଲାଞ୍ଚ ନେବା ସମୟର ଭିଡିଓ କୋରିଆ ନାଗରିକ ଚଳାଉଥିବା କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ପୃକ୍ତ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି ।
ସୂଚନା ଅନୁସାରେ, କୋରିଆରୁ ଭାରତ ଆସିଥିବା ଏହି ବିଦେଶୀ ନାଗରିକ ଜଣେ ପେଶାଦାର ୟୁଟ୍ୟୁବର । ସେ ଏକ କାର ଭଡାରେ ନେଇ ଦିଲ୍ଲୀ ପରିଦର୍ଶନରେ ବାହାରିଥିଲେ । ଏହି ସମୟରେ କୌଣସି କାରଣବଶତଃ ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ କର୍ମଚାରୀ ତାଙ୍କୁ ରୋକିବା ସହ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କଠାରୁ ଲାଞ୍ଚ ମାଗିଥିଲେ । କୋରିଆ ନାଗରିକ ତାଙ୍କୁ 5ଶହ ଟଙ୍କା ଦେଇଥିଲେ । ହେଲେ 5ଶହ ନୁହେଁ ବରଂ କୋର୍ଟ ଫାଇନ ବାବାଦକୁ 5 ହଜାର ଟଙ୍କା ଦେବାକୁ ଅଧା ଇଂରାଜୀରେ ସମ୍ପୃକ୍ତ ଟ୍ରାଫିକ ପୋଲିସ କର୍ମୀ କହିଥିଲେ ।
ଫଳରେ ବିଦେଶୀ ଯୁବକଜଣଙ୍କ 5 ହଜାର ନଗଦ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ । ବିନା କୌଣସି ସରକାରୀ ଚାଲାଣ କିମ୍ବା ରସିଦ ବିନା ଟ୍ରାଫିକ ପୋଲିସ ବାବୁ ଜଣଙ୍କ ବିଦେଶୀ ନାଗରିକଙ୍କଠାରୁ ଟଙ୍କା ନେଇ ତାଙ୍କ ସହ ହାତ ମିଳାଇ ଚାଲିଯାଇଥିଲେ । ହେଲେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ଭିଡିଓ ସୁଟ୍ କରିବା ଉଦ୍ଦେଶ୍ୟରେ ବିଦେଶୀ ନାଗରିକ ଜଣକ କାରରେ ଲଗାଇଥିବା କ୍ୟାମେରାରେ ଏ ସମସ୍ତ ଦୃଶ୍ୟ ରେକର୍ଡ ହୋଇଯାଇଥିଲା ।