ହାଇଦ୍ରାବାଦ:ଦିଲ୍ଲୀର ଜଣେ ସାମାଜିକ କର୍ମୀ ପୁଣେରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି (Delhi social worker raped in pune)। ମହିଳା ଜଣକ ରହିବା ପାଇଁ ପୁଣେରେ ଭଡାଘର ଖୋଜୁଥିଲେ । ସଞ୍ଜୟ ବାବୁରାଓ ଭୋସଲେ ନାମକ ଜଣେ ସ୍ଥାନୀୟ ଘର ମାଲିକ ତାଙ୍କୁ ଘର ଦେଖାଇବା ଆଳରେ ଡାକି ନେଇ ଏକ ସୋସାଇଟି କଲୋନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୁଣେର ହଦାପସର ପୋଲିସ ଷ୍ଟେସନରେ ପହଞ୍ଚି ପୀଡିତା ସାମାଜିକ କର୍ମୀଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ମହିଳାଜଣଙ୍କ ଦିଲ୍ଲୀର ଜଣେ ସାମାଜିକ କର୍ମୀ । ସେ ନ୍ୟାଚୁରାଲ ଥେରାପି ଚିକିତ୍ସା ପାଇଁ ପୁଣେ ଆସିଥିଲେ । ସେ ଉରୁଲି କାଞ୍ଚନରେ କିଛି ଦିନ ରହିବା ପାଇଁ ଏକ ଭଡାଘର ଖୋଜୁଥିଲେ । ଏହି ସମୟରେ ଉରୁଲିର ସଞ୍ଜୟ ବାବୁରାଓ ଭୋସଲେ ନାମକ ଜଣେ ସ୍ଥାନୀୟ ଘର ମାଲିକ ସହ ତାଙ୍କର ଯୋଗାଯୋଗ ହୋଇଥିଲା । ସେ ଭଡା ପାଇଁ ଘର ଖାଲିଥିବା କହିବା ସହ ଘର ଦେଖାଇବା ପାଇଁ ମହିଳାଙ୍କୁ ଡାକିଥିଲେ । ମହିଳାଜଣଙ୍କ ମଧ୍ୟ ଘର ଦେଖିବା ପାଇଁ ମାଲିକ ସଂଞ୍ଜୟ ସହ ଯାଇଥିଲେ ।