ଓଡିଶା

odisha

ETV Bharat / bharat

Delhi Service Bill: ଲୋକସଭାରେ ପାରିତ, ବିରୋଧୀଙ୍କ କକ୍ଷତ୍ୟାଗ - ଦିଲ୍ଲୀ ସେବା ବିଲ

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ । ବିରୋଧୀଙ୍କ କକ୍ଷତ୍ଯାଗ । ବିରୋଧୀଙ୍କ ଉପରେ ବର୍ଷିଲେ ଶାହ । କହିଲେ ଦୁର୍ନୀତିକୁ ଲୁଚାଇବା ପାଇଁ ଦିଲ୍ଲୀ ସରକାରଙ୍କ ସାଥ ଦେଇଛନ୍ତି କିଛି ରାଜନୈତିକ ଦଳ । ଅଧିକ ପଢନ୍ତୁ

Delhi service: ଲୋକସଭାରେ ପାରିତ ହେଲା ବିଲ୍‌
Delhi service: ଲୋକସଭାରେ ପାରିତ ହେଲା ବିଲ୍‌

By

Published : Aug 3, 2023, 8:23 PM IST

ନୂଆଦିଲ୍ଲୀ:ଦୁଇ ଦିନର ପ୍ରବଳ ବିରୋଧ ଓ ଗୃହରେ ଅଚଳାବସ୍ଥା ପରେ ଆଜି ବହୁଚର୍ଚ୍ଚିତ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍‌ ଲୋକସଭାରେ ପାରିତ ହୋଇଛି । ଚଳିତ 1 ତାରିଖ ନିମ୍ନ ସଦନରେ ଆଗତ ହୋଇଥିବା ଏହି ବିଲ୍‌ ପ୍ରବଳ ବିରୋଧ ମଧ୍ଯରେ ଆଜି ପାରିତ ହୋଇଛି । ଆଜି ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲର ଚର୍ଚ୍ଚାରେ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ବିଲ୍‌ ପାସ ସମୟରେ ଭୋଟିଂ ପୂର୍ବରୁ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆମ୍ ଆଦମୀ ପାର୍ଟିର ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହି ବିଲ ସମ୍ପର୍କରେ ମତଦାନ ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଗୃହରେ ବିରୋଧୀଙ୍କୁ ମତ ରଖିବାର ସୁଯୋଗ ମିଳୁନି,ତେଣୁ ସେମାନେ କକ୍ଷତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି ।

ଦିଲ୍ଲୀ ସେବା ବିଲ୍କୁ ନେଇ ଆଜି (ଗୁରୁବାର) ନିମ୍ନସଦନ ଲୋକସଭାରେ ବିତର୍କ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ସରକାର ଏବଂ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’ କୁ ଏହି ପ୍ରସଙ୍ଗରେ କଡା ସମାଲୋଚନା କରିଥିଲେ । ଶାହ କହିଥିଲେ, ‘‘ମାମଲା କେବଳ ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ କିମ୍ବା ବଦଳି ପାଇଁ ନୁହେଁ, ବରଂ ସେମାନେ ସେମାନଙ୍କ ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଆଳରେ ଭିଜିଲାନ୍ସ ବିଭାଗକୁ ମଧ୍ୟ ହାତକୁ ନେବାକୁ ଚାହୁଁଛନ୍ତି । ଯେଉଁ ଦଳମାନେ ଦିଲ୍ଲୀ ସରକାରଙ୍କ ସହ ଅଛନ୍ତି, ସେମାନେ ମଧ୍ୟ ଭ୍ରଷ୍ଟାଚାର ସହ ରହିଛନ୍ତି । କିନ୍ତୁ ଜନସାଧାରଣ ସବୁ କିଛି ଦେଖୁଛନ୍ତି ।’’

ଆହୁରି ମଧ୍ୟ ଶାହ କହଛନ୍ତି, ‘‘ମୁଁ ଏହି ଦଳମାନଙ୍କୁ କହିବାକୁ ଚାହେଁ ଯେ ତୁମେ ତୁମର ମେଣ୍ଟ ବିଷୟରେ ନୁହେଁ ବରଂ ଦିଲ୍ଲୀ ବିଷୟରେ ଚିନ୍ତା କରିବା ଉଚିତ୍ । କାରଣ ତୁମେ ଯାହା ବି କର, କୌଣସି ମିଳିତ ମଞ୍ଚ ଗଠନ କର ନା କାହିଁକି,କିନ୍ତୁ ନରେନ୍ଦ୍ର ମୋଦି ଆସନ୍ତା ନିର୍ବାଚନରେ ​​ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶବାସୀ ଏହି ନିଷ୍ପତ୍ତି ନେଇସାରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ:-Delhi Ordinance Bill: ଲୋକସଭାରେ ଆଗତ, BJDର ସମର୍ଥନ

ଆଜି ଲୋକସଭାରେ ପାରିତ ହେବା ପରେ ଆସନ୍ତାକାଲି (ଶୁକ୍ରବାର) ଏହି ବିଲ ସମ୍ପର୍କରେ ରାଜ୍ୟସଭାରେ ଚର୍ଚ୍ଚା ହେବ । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ନିକଟରେ ରାଜ୍ୟସଭାରେ ଏହାକୁ ପାରିତ କରିବା ପାଇଁ ସଂଖ୍ୟା ନଥିଲେ ସୁଦ୍ଧା, ଏକାଧିକ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିସାରିଛନ୍ତି । ଓ୍ବାଇଏସଆର କଂଗ୍ରେସ, ବିଜୁ ଜନତା ଦଳ ଓ ଟିଡିପି ଏହି ବିଲକୁ ଉଭୟ ଗୃହରେ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ଏହି କ୍ରମରେ ରାଜ୍ୟସଭାରେ ମଧ୍ୟ ଏହି ବିଲ ପାରିତ ହେବାର ସମ୍ଭାବନା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details