ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଉପରେ ଲାଗିଛି କଟକଣା । ଯମୁନା ନଦୀ, ଘାଟ କିମ୍ବା କୌଣସି ସାର୍ବଜନୀନ ସ୍ଥଳରେ ବିସର୍ଜନକୁ ବାରଣ କରାଯାଇଛି । ସାଧାରଣ ଲୋକେ ବା ସମିତିଗୁଡିକ ନିଜ ଘରେ ତଥା ବାଲ୍ଟିରେ ମୂର୍ତ୍ତି ବିସର୍ଜନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦେଶର ବ୍ୟସ୍ତବହୁଳ ସ୍ଥାନ ଦିଲ୍ଲୀର ବାୟୁ ସହିତ ନଦୀର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ଅପରପକ୍ଷେ ବିସର୍ଜନ ସମୟରେ ଭିଡ଼ ଯୋଗୁଁ କୋରୋନା ସଂକ୍ରମଣର ଭୟ ଥିବାରୁ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲଗାଇଛନ୍ତି ସରକାର । ଏଥିଲାଗି ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ବିସର୍ଜନ ପୂର୍ବରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରୁ ପୂଜା ସାମଗ୍ରୀ ସମେତ ପୁଷ୍ପକୁ ହଟାଇବାକୁ କୁହାଯାଇଛି । ଏହି ସମସ୍ତ ସାମଗ୍ରୀକୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ପରିବେଶ ସୁରକ୍ଷିତ ରହିବ ।