ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଆଜି(ମଙ୍ଗଳବାର) ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ(NewsClick) ଅଫିସରେ ଚଢାଉ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ନ୍ୟୁଜ ଅଫିସ ସମେତ ଏଥିରେ କାର୍ଯ୍ୟରତ ସାମ୍ୱାଦିକ ଓ କର୍ମଚାରୀମାନଙ୍କ ଘରେ ଚଢାଉ ଚାଲିଛି । ବିଦେଶୀ ଅଂଶଧନ ବିନିମୟ ଅଧିନିୟମ ଉଲ୍ଲଂଘନ କରି ବିଦେଶୀ ପାଣ୍ଠି ପାଇବା ଅଭିଯୋଗରେ ଦିଲ୍ଲୀ, ଏନସିଆର ସମେତ ପାଖାପାଖି 30ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଉଛି ।
ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଦିଲ୍ଲୀ ପୋଲିସର ରେଡ୍ କରିଛି । ଏହି ରେଡରେ ପାଖାପାଖି 100 ଅଧିକାରୀ ସାମିଲ ଅଛନ୍ତି । ଏଥିରେ ଅର୍ଦ୍ଧସାମରିକ ଫୋର୍ସ ମଧ୍ୟ ସାମିଲ ଅଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଡିଜିଟାଲ ନ୍ୟୁଜ ଓ୍ବେବସାଇଟ ନ୍ୟୁଜକ୍ଲିକ ଅଫିସ ଉପରେ ଚଢାଉ କରିବା ସହ ଏହାର କିଛି କର୍ମଚାରୀ ଓ ସାମ୍ୱାଦିକମାନଙ୍କୁ ପଚରାଉଚରା କରିଛି । ରେଡ ସମୟରେ ପୋଲିସ ମୋବାଇଲ, ଲ୍ୟାପଟପ, କମ୍ପ୍ୟୁଟର ସମେତ ଅନେକ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରିଛି । ହାର୍ଡ ଡିକ୍ସ ଡେଟା ମଧ୍ୟ ଜବତ କରିଥିବା ମଧ୍ୟ ସୂଚନା ରହିଛି ।
ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଆଧାରରେ ମାମଲା ଦାୟର କରାଯାଇଛି । ଏବେ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି । କିଛି ସାମ୍ୱାଦିକମାନଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ନିଆଯାଇଥିବା ସୂଚନା ରହିଛି । କହିରଖୁଛୁ କି, ଚୀନ ନୀତିର ପ୍ରଚାର ପ୍ରସାର ପାଇଁ ନ୍ୟୁଜକ୍ଲିକ ପୋର୍ଟାଲ ପାଣ୍ଠି ପାଉଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା ।