ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଆଜିକୁ ୨୦ ଦିନ ହେବ ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧା । ସେପଟେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗତକାଲି(ରବିବାର) ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୋଲିସ୍ । ଭାରତୀୟ କୁସ୍ତି ସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।
ପ୍ରକାଶ ଥାଉ କି, ଗତ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ନାମରେ ଦୁଇଟି ମାମଲା ରୁଜୁ କରିଥିଲା । ପ୍ରଥମ ମାମଲାରେ ସେ ଜଣେ ନାବାଳିକାଙ୍କୁ ଏବଂ ଦ୍ବିତୀୟଟିରେ ୩ ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଥିଲା । ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ବ୍ରିଜଭୂଷଣଙ୍କୁ ନୋଟିସ ଦିଆଯାଇଥିଲା । ଏହାପରେ ଶୁକ୍ରବାର ପ୍ରାୟ ୩ ଘଣ୍ଟାଧରି ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ ଜେରା କରି ତାଙ୍କ ବୟାନ ରେକର୍ଡ କରିଥିଲା । ବ୍ରିଜଭୂଷଣଙ୍କୁ ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ମଧ୍ୟ ଜେରା କରିଛି । ତେବେ ଉଭୟ ଥର ଜେରା ସମୟରେ ବ୍ରିଜଭୂଷଣ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଏପରିକି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ପ୍ରମାଣ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଆବଶ୍ୟକ ପଡ଼ିଲେ ବ୍ରିଜଭୂଷଣଙ୍କୁ ପୁଣି ଜେରା କରାଯିବ ଏବଂ ଏହି ପ୍ରସଙ୍ଗରେ ଆହୁରି ୩୦ ଜଣଙ୍କ ବୟାନ ରେକର୍ଡ କରାଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।