ନୂଆଦିଲ୍ଲୀ:ବଲିଉଡ ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଆକଷ୍ମିକ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ପୋଲିସ । ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ହୋଲି ପାଳନରେ ମଧ୍ୟ ସାମିଲ ହୋଇଥିବା ସତୀଶ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ସତୀଶ ଶେଷ ମୁହୂର୍ତ୍ତରେ କେଉଁ ବନ୍ଧୁ ଓ ସହଯୋଗୀମାନଙ୍କ ସହ ସମୟ ବିତାଇଥିଲେ ସେମାନଙ୍କ ସହ ସମ୍ପର୍କ କରିବା ପାଇଁ ପୋଲିସ୍ ଚେଷ୍ଟା କରୁଛି ।
ସତୀଶ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଗୁରୁଗ୍ରାମର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେଉଁ ଅବସ୍ଥାରେ ଓ ତାଙ୍କୁ କେଉଁମାନେ ଭର୍ତ୍ତି କରିଥିଲେ । ସେତେବେଳେ ତାଙ୍କ ନିକଟରେ କ’ଣ ସମସ୍ୟା ଥିଲା । ତାଙ୍କ ଚିକିତ୍ସା କିପରି ଆରମ୍ଭ କରାଯାଇଥିଲା ସେ ନେଇ ପୋଲିସ ସୂଚନା ସଂଗ୍ରହ କରିବା ପାଇଁ ସମ୍ପର୍କୀୟ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି । ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀର ହରିନଗର ସ୍ଥିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇଛି । ଅନ୍ୟପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୂସାରେ ତାଙ୍କ ମୃତ୍ୟୁ ନେଇ କୌଣସି ଅଭିଯୋଗ ହୋଇନି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବଲିଉଡ ଏହି ଆଗଧାଡିର ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗତ ରାତିରେ 66 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ତାଙ୍କ ଦୀର୍ଘ ଦଶନ୍ଧିର ସହଯୋଗୀ ତଥା ବନ୍ଧୁ ଅଭିନେତା ଅନୁପମ ଖେରଙ୍କ ସମେତ ଅନେକ ବିଶିଷ୍ଟ ବଲିଉଡ କଳାକର ଓ ଅନ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Actor Satish Kaushik Passes Away: ବରିଷ୍ଠ ବଲିଉଡ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ