ନୂଆଦିଲ୍ଲୀ: କୋରୋନା ପରେ ଭାରତରେ କାୟା ମେଲାଉଛି ମଙ୍କିପକ୍ସ ଭୂତାଣୁ । କେରଳ, ପଞ୍ଜାବ ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଏକ ୩୧ ବର୍ଷୀୟ ବ୍ୟକ୍ତି ମଙ୍କିପକ୍ସ ସଂକ୍ରମିତ ହୋଇଛନ୍ତି । ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ସ୍ଥାନୀୟ ମହଲରେ ଭୟର ବାତାବରଣ ଖେଳିଯାଇଛି ।
ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି । ସଂକ୍ରମିତଙ୍କ ଠାରେ ଜ୍ୱର ରହିଥିବା ବେଳେ ତାଙ୍କ ଚମଡାରେ ଧଳା ଦାଗ ଦେଖିବାକୁ ମିଳିଛି । ଜ୍ୱର ଓ ଚର୍ମରେ ଦାଗ ଯୋଗୁଁ ତାଙ୍କୁ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିବା ବେଳେ ଆଜି(ରବିବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ଏହା ମଧ୍ୟ ପଢନ୍ତୁ: Monkeypox: 70 ଦେଶକୁ ବ୍ୟାପିଲାଣି ସଂକ୍ରମଣ, ବୈଶ୍ୱିକ ଏମରଜେନ୍ସି ଘୋଷଣା କଲା WHO
ଦେଶରେ ଜୁଲାଇ ୧୩ ତାରିଖରେ ପ୍ରଥମ ମଙ୍କିଫକ୍ସ ଚିହ୍ନଟ ହୋଇଥିଲା । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଜୁଲାଇ ୧୮ରେ କେରଳରୁ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଜୁଲାଇ ୨୨ରେ ତୃତୀୟ ମାମଲା ସ୍ପଷ୍ଟ ହୋଇଥିଲା। ଏହି ତିନି ଆକ୍ରାନ୍ତଙ୍କ ଦୁବାଇ ଟ୍ରାଭେଲ ହିଷ୍ଟ୍ରି ରହିଥିବା ଜଣାପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି(ଶନିବାର) ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମଙ୍କିପକ୍ସକୁ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଦେଶମାନେ ନିଜ ଆଡୁ ସତର୍କତା ଅବଲମ୍ବନ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି । କେନ୍ଦ୍ର ଓ ପଶ୍ଚିମ ଆଫ୍ରିକୀୟ ଦେଶରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ତେବେ ଏହା ଏବେ ପ୍ରାୟ 70 ଦେଶକୁ ବ୍ୟାପି ସାରିଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ