ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି(AAP) ଓ ଉପ ରାଜ୍ୟପାଳ ବିନୟ ସକ୍ସେନାଙ୍କ ମଧ୍ୟରେ ବିବାଦ କ୍ରମଶଃ ବଢିବାରେ ଲାଗିଛି । ଉପ ରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଆପର ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଉପ ରାଜ୍ୟପାଳ ବିନୟ ସକ୍ସେନା (Delhi LG VK Saxena to take action against AAP)। ତାଙ୍କ ବିରୋଧରେ ଅପମାନଜନକ ଓ ମିଥ୍ୟା ଅଭିଯୋଗ ଆଣିଛନ୍ତି ଆପ କିଛି ନେତା । ସେ ତାଙ୍କ ବିରୋଧରେ ମାମଲା କରିବେ ବୋଲି କହିଛନ୍ତି । ଆପର ଏହି ନେତାଙ୍କ ମଧ୍ୟରେ ସୌରଭ ଭରଦ୍ବାଜ, ଆତିଶ, ଦୁର୍ଗେଶ ପାଠକ, ଜସମିନ ଶାହ ପ୍ରମୁଖ ରହିଛନ୍ତି ।
2016 ରେ କେନ୍ଦ୍ର ସରକାର କରିଥିବା ବିମୁଦ୍ରୀକରଣ ସମୟରେ ବର୍ତ୍ତମାନର ଉପ ରାଜ୍ୟପାଳ ବିନୟ ସକ୍ସେନା ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ ଆପ ନେତା । ସେ ଜଣେ ଭ୍ରଷ୍ଟ ବ୍ୟକ୍ତି ଓ ତାଙ୍କ ବିରୋଧରେ ସିବିଆଇ ମାମଲା କରିବା ପାଇଁ ମଧ୍ୟ ଆପ ଦାବି କରିଥିଲେ । ପରେ ସେ ବିନୟ ସକ୍ସେନାଙ୍କୁ ଦିଲ୍ଲୀ ଉପ ରାଜ୍ୟପାଳ ପଦବୀରୁ ହଟାଇବା ପାଇଁ ଦାବି ମଧ୍ୟ କରିଥିଲା ଦଳ । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଉପ ରାଜ୍ୟପାଳ ବିନୟ ସକ୍ସେନା । ଏପରି ଭିତ୍ତିହୀନ ତଥା ଅମୂଳକ ଅଭିଯୋଗ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ଫେରାଇ ଦେଲେ ଉପ ରାଜ୍ୟପାଳ
ଦିଲ୍ଲୀରେ ଉପ ରାଜ୍ୟପାଳ ଓ ସରକାର ବିବାଦ କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ମଧ୍ୟ ବିନୟ ସକ୍ସେନା ଓ କେଜ୍ରିଓ୍ବାଲ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ମୁଖ୍ୟମନ୍ତ୍ରୀ କେଜ୍ରିିଓ୍ବାଲଙ୍କ କାର୍ଯ୍ୟାଳୟରୁ ଅନୁମୋଦନ ପାଇଁ ରାଜଭବନକୁ ଆସିଥିବା ପ୍ରାୟ ୪୭ଟି ପ୍ରସ୍ତାବ ସମ୍ବଳିତ ଫାଇଲକୁ ଫାରାଇ ଦେଇଥିଲେ ଉପ ରାଜ୍ୟପାଳ ବିନୟ ସକ୍ସେନା (Delhi LG sends 47 proposals back to CMO) । ମୁଖ୍ୟମନ୍ତ୍ରୀ ନିଜେ ଏହି ଫାଇଲଗୁଡିକରେ ଦସ୍ତଖତ ନକରି ଅନ୍ୟ ଅଧିକାରୀ ଦସ୍ତଖତ କରିଥିବାରୁ ଏପରି କରାଯାଇଥିବା ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଫାଇଲର ଫେରସ୍ତର କାରଣ ସମ୍ପର୍କରେ ମଧ୍ୟ ଉପ ରାଜ୍ୟପାଳ (Delhi Lieutenant Governor V K Saxena) ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା, ଉପ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଆସୁଥିବା ଫାଇଲ କିମ୍ବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ରହିଥିବା ଦର୍ଶାଯାଇଥିଲେ ସୁଦ୍ଧା କେବଳ ସରକାରୀ ଅଧିକାରୀଙ୍କ ଦସ୍ତଖତ ରହୁଛି । ତେଣୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ସଠିକ ଭାବେ ଉକ୍ତ ଫାଇଲରେ ଦସ୍ତଖତ କରନ୍ତୁ ।
କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଦିଲ୍ଲୀରେ ରହିଛି ସରକାର । କିନ୍ତୁ ଦିଲ୍ଲୀ ସରକାର ଅନ୍ୟ ପ୍ରଦେଶ ସରକାର ଭାବେ ସମ୍ପୂର୍ଣ୍ଣ କ୍ଷମତାସୀନ ହୋଇ ନଥିବା ଯୋଗୁଁ ବେଳେବେଳେ ସାମ୍ବିଧାନିକ ସଙ୍କଟ ତଥା ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ । ଦିଲ୍ଲୀରେ ମଧ୍ୟ ସେପରି କିଛି ସ୍ଥିତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଦିଲ୍ଲୀରେ କ୍ଷମତାରେ ଥିବା ଆପ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏବେ ଆଇନଗତ ଲଢେଇର ରୂପ ନେବାକୁ ଯାଉଛି ।
ବର୍ତ୍ତମାନ ଦିଲ୍ଲୀ ରାଜନୀତିରେ ଅବକାରୀ ଦୁର୍ନୀତିକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଏହି ଅନିୟମିତତା ସମ୍ପର୍କରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଉପରାଜ୍ୟପାଳ ଗ୍ରହଣ କରିଥିଲେ । ଅବକାରୀ ନୀତି (excise policy) ଲାଗୁ କରିବାରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ୧୧ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକ୍ସେନା । ଏହି ଅଧିକାରୀଙ୍କ ମଧ୍ୟରେ ଜଣେ ସର୍ବ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଓ ଜଣେ DANICS ଅଧିକାରୀ ମଧ୍ୟ ରହିଛନ୍ତି । ଏମାନଙ୍କ ସମେତ ମୋଟ ୧୧ ଅଧିକାରୀ ନିଲମ୍ବନ ତାଲିକାରେ ରହିଥିଲେ । ନିଲମ୍ବିତ ହୋଇଥିବା IAS ଅଧିକାରୀ ହେଉଛନ୍ତି ଏ.ଜି କ୍ରୀଷ୍ଣା ଏବଂ DANICS ଅଧିକାରୀ ଆନନ୍ଦ କୁମାର ତିୱାରୀ ଥିଲେ । ପରେ ଏହି ମାମଲାର ତଦନ୍ତ ଏବେ କେନ୍ଦ୍ରୀୟ ଏଜେନ୍ସିଂ ଇଡି ଓ ସିବିଆଇ ଦ୍ବାରା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ