ନୂଆଦିଲ୍ଲୀ:କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଦିଲ୍ଲୀରେ ରହିଛି ସରକାର । କିନ୍ତୁ ଦିଲ୍ଲୀ ସରକାର ଅନ୍ୟ ପ୍ରଦେଶ ସରକାର ଭାବେ ସମ୍ପୂର୍ଣ୍ଣ କ୍ଷମତାସୀନ ହୋଇ ନଥିବା ଯୋଗୁ ବେଳେବେଳେ ସାମ୍ବିଧାନିକ ସଙ୍କଟ ତଥା ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ । ଦିଲ୍ଲୀରେ ମଧ୍ୟ ସେପରି କିଛି ସ୍ଥିତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କେଜ୍ରିିଓ୍ବାଲଙ୍କ କାର୍ଯ୍ୟାଳୟରୁ ଅନୁମୋଦନ ପାଇଁ ରାଜଭବନକୁ ଆସିଥିବା ପ୍ରାୟ ୪୭ଟି ପ୍ରସ୍ତାବ ସମ୍ବଳିତ ଫାଇଲକୁ ଫାରାଇ ଦେଇଛନ୍ତି ଉପ ରାଜ୍ୟପାଳ ବିନୟ ସକ୍ସେନା (Delhi LG sends 47 proposals back to CMO) । ମୁଖ୍ୟମନ୍ତ୍ରୀ ନିଜେ ଏହି ଫାଇଲଗୁଡିକରେ ଦସ୍ତଖତ ନକରି ଅନ୍ୟ ଅଧିକାରୀ ଦସ୍ତଖତ କରିଥିବାରୁ ଏପରି କରାଯାଇଥିବା ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଫାଇଲର ଫେରସ୍ତର କାରଣ ସମ୍ପର୍କରେ ମଧ୍ୟ ଉପ ରାଜ୍ୟପାଳ (Delhi Lieutenant Governor V K Saxena) ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ଉପ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଆସୁଥିବା ଫାଇଲ କିମ୍ବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ରହିଥିବା ଦର୍ଶାଯାଇଥିଲେ ସୁଦ୍ଧା କେବଳ ସରକାରୀ ଅଧିକାରୀଙ୍କ ଦସ୍ତଖତ ରହୁଛି । ତେଣୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ସଠିକ ଭାବେ ଉକ୍ତ ଫାଇଲରେ ଦସ୍ତଖତ କରନ୍ତୁ ।