ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ବିଧାନସଭା ଅଧିବେଶନକୁ ନେଇ ଉପରାଜ୍ୟପାଳ ବିନୟ ସକ୍ସେନା ଆପତ୍ତି କରିଛନ୍ତି । ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିଡଲାନ ଏହି ସୂଚନା ଦେଇଛନ୍ତି । ରାକ୍ଷୀ ବିଡଲାନଙ୍କ ସୂଚନା ଅନୁଯାୟୀ, ଏହି ଚିଠି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଛି ଏବଂ ଏହାର ଏକ କପି ବିଧାନସଭାକୁ ମଧ୍ୟ ପ୍ରଦାନ କରାଯାଇଛି । ଚିଠିରେ ସ୍ବତନ୍ତ୍ର ଅଧିବେଶନକୁ ବେଆଇନ ଦର୍ଶାଇଛନ୍ତି ଉପରାଜ୍ୟପଳ । ନିୟମ ଅନୁସାରେ, ବିଧାନସଭା ଅଧିବେଶନ ଆହୁତ କରାଯାଉ ବୋଲି ଉପରାଜ୍ୟପାଳ ଚିଠିରେ ଦର୍ଶାଇଛନ୍ତି ।
ଦିଲ୍ଲୀ ଉପବାଚସ୍ପତି ରାକ୍ଷୀ ବିଡଲାନଙ୍କ ଅନୁଯାୟୀ, ବିଧାନସଭା ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଚାଲିଛି । ଉପରାଜ୍ଯପାଳଙ୍କ ଦର୍ଶାଉଥିବା ନିୟମ ସମ୍ପର୍କରେ କୌଣସି ବ୍ୟବସ୍ଥା ନାହିଁ । କେବଳ ମନ୍ତ୍ରୀମଣ୍ଡଳର ସୁପାରିଶ କ୍ରମେ ଅଧିବେଶନ ଡକାଯାଇପାରେ । ବିଧାନସଭାର କାର୍ଯ୍ୟକାରିତା ସାମ୍ବିଧାନିକ ନିୟମ ଦ୍ୱାରା ପରିଚାଳିତ ହୋଇଥାଏ । କେବେ ଅଧିବେଶନ ଆହୁତ ହେବ ତାହା ବିଧାନସଭା ଅର୍ଥାତ ମନ୍ତ୍ରୀମଣ୍ଡଳର ଅଧିକାର । ମନ୍ତ୍ରୀ ମଣ୍ଡଳର ବିନା ସୁପାରିଶରେ ନୂତନ ଅଧିବେଶନ ଡକାଯାଇପାରିବ ନାହିଁ, ଏକଥା ଉପରାଜ୍ୟପାଳ ମଧ୍ୟ ଜାଣିବା ଆବଶ୍ୟକ ବୋଲି ରାକ୍ଷୀ କହିଛନ୍ତି ।
ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବାର ଏକାଧିକ ନଜିର ରହିଛି । ନିକଟରେ ଦିଲ୍ଲୀ ସେବା ନିୟନ୍ତ୍ରଣ ପ୍ରସଙ୍ଗରେ ମାମଲା ଅତି ଗମ୍ଭୀର ହୋଇଥିଲା । ହେଲେ ସର୍ବୋଚ୍ଚ କୋର୍ଟରୁ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଆସିବା ସତ୍ତ୍ବେ ମଧ୍ୟ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଏହି କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ନ୍ଯସ୍ତ କରିଥିଲା । ପରେ ଏହାକୁ ସଂସଦରେ ମଧ୍ୟ ପାରିତ କରିବାରେ ସଫଳ ହୋଇଥିଲା କେନ୍ଦ୍ର ।