ନୂଆଦିଲ୍ଲୀ:ଗୋଟିଏ ପରେ ଗୋଟିଏ ଅଡୁଆରେ ଛନ୍ଦି ହେବାରେ ଲାଗିଛି ଦିଲ୍ଲୀର କେଜ୍ରିଓ୍ବାଲ ସରକାର । ଏବେ ଅବକାରୀ ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜାରି ରହିଥିବାବେଳେ, ପୁଣି ନୂଆ ଦୁର୍ନୀତି ଅଭିଯୋଗରେ ଛନ୍ଦି ହେବାକୁ ଯାଉଛି କେଜ୍ରିଓ୍ବାଲ ସରକାର । ଦିଲ୍ଲୀ ପରିବହନ ନିଗମ କିଣିଥିବା 1000 ଅତ୍ୟାଧୁନିକ ଲୋ-ଫ୍ଲୋର ବସର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (Transport scam allegation in Delhi)। ଆଜି ଏହି ମାମଲାରେ ସିବିଆଇ ତଦନ୍ତକୁ ଅନୁମୋଦନ ଦେଇଛନ୍ତି ଉପ ରାଜ୍ୟପାଳ ବିନୟ ସାକ୍ସେନା (Delhi LG VK Saxena)। ଏହାକୁ କିନ୍ତୁ ମଧ୍ୟ ଆମ ଆଦମୀ ପାର୍ଟି ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ତଦନ୍ତର ସାମ୍ନା କରିବ ବୋଲି କହିଛି ।
ଚଳିତ ବର୍ଷ ଜୁନ ମାସରେ ଏହି ବସ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ଯାଇଥିଲା । ଦିଲ୍ଲୀ ପରିବହନ ନିଗମର ଟେଣ୍ଡରିଂ କମିଟିର ଅଧ୍ୟକ୍ଷ ଭାବେ ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଯୁକ୍ତ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଜୁଲାଇ ମାସରେ ଏହି ମାମଲାରେ ଉତ୍ତର ରଖିବା ପାଇଁ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଥିଲା । ଅଗଷ୍ଚରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶର ଉତ୍ତର ରଖି ରିପୋର୍ଟ ଦାଖଲ କରିଥିଲେ ।