ନୂଆଦିଲ୍ଲୀ:ନିଜ ଆବେଦନ ଖାରଜ କରିଦେଇଥିବା ହାଇକୋର୍ଟର ଜଣେ ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଦାବିରେ ମାମଲା ଦାଏର କରିଥିଲେ ଯୁବକ । ମାତ୍ର ଦିଲ୍ଲୀ ହାଇକୋର୍ଟ ଏହି ବିଚିତ୍ର ଆବେଦନକୁ ଅଦାଲତ ଅବମାନନା ଅପରାଧ ବୋଲି ବିବେଚନା କରିଛନ୍ତି । ସମ୍ପୃକ୍ତ ଆବେଦନକାରୀଙ୍କୁ ଆର୍ଥିକ ଜରିମାନା ସହ 6 ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଅଭିଯୋଗକାରୀଙ୍କ ନାମ ନରେଶ ଶର୍ମା ବୋଲି ଜଣାପଡିଛି । ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ ସୁରେଶ କାଇତ ଓ ଜଷ୍ଟିସ ଶୈଳନ୍ଦ୍ର କୌରଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଏହି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି । ତୁରନ୍ତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଷ୍ଟଡିକୁ ନେବା ସହ ଜେଲରେ ହାଜର କରିବା ପାଇଁ ପୋଲିସକୁ ଖଣ୍ଡପୀଠ କହିଛନ୍ତି ।
ଏହି ଆବେଦନକାରୀ ନିଜ ମାମଲାକୁ ଖାରଜ କରିଦେଇଥିବା ହାଇକୋର୍ଟର ଜଣେ ଏକକ ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଆବେଦନ କରି ଅନ୍ୟ ଏକ ମାମଲା ଦାଏର କରିଥିଲେ । ଆବେଦନ ପେପରରେ ସେ ଉକ୍ତ ଜଜଙ୍କୁ ଜଣେ ଚୋର ବୋଲି ଚିତ୍ରଣ କରିଥିଲେ । ଏହା ସହ କୋର୍ଟ ଦିଲ୍ଲୀରେ ଅପରାଧକୁ ବୃଦ୍ଧି କରିବା ପରି ସ୍ଥିତି ସୃଷ୍ଟି କରୁଥିବା ମଧ୍ୟ ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଏହା ପରେ ଅଗଷ୍ଟରେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଥିଲା ।
ଆଜି ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଏହାକୁ 1971 ଅଦାଲତ ଅବମାନନା ଅଧିନିୟମର ଉଲ୍ଲଙ୍ଘନ ବୋଲି ଧରାଯାଉଛି । ଅଭିଯୁକ୍ତଙ୍କୁ 2000 ଟଙ୍କାର ଫାଇନ ସହ 6 ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଫାଇନ ପଇଠ ନକରିଲେ ଅଧିକ ସପ୍ତାହେ କାରାଦଣ୍ଡ ବୃଦ୍ଧି କରିବାକୁ କୋର୍ଟ ରାୟରେ ପ୍ରକାଶ କରିଛନ୍ତି ।