ନୂଆଦିଲ୍ଲୀ: ୟେମେନରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମା’ଙ୍କୁ ତିନିଜଣ ଭାରତୀୟ ନାଗରିକଙ୍କ ସହ ୟେମେନ ଯିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହି ଅନୁମତି ପାଇଁ କେନ୍ଦ୍ର ସରକାର ତାଙ୍କୁ ପୂର୍ବରୁ ମନା କରିଥିଲେ । ନିମିଷା ପ୍ରିୟାଙ୍କ ମା’ ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ । ଆଜି ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ନିମିଶା ପ୍ରିୟାଙ୍କ ମା’ଙ୍କୁ ନିଜ ଦାୟିତ୍ବରେ ୟେମେନ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହି ଯାତ୍ରା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଉତ୍ତରଦାୟୀ ହେବେନାହିଁ । ନିମିଷାଙ୍କ ମା’ଙ୍କ ସହ କୁହ୍ନାମଦ ନାଡୁଭିଲାକ୍କାଣ୍ଡି, ସାମୁଏଲ୍ ଜେରୋମ ଭାସ୍କରନ୍ ଓ କେ.ସଞ୍ଜୀବ କୁମାରଙ୍କୁ ମଧ୍ୟ ୟେମେନ ଯିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ତେବେ 2 ତାରିଖରେ କୋର୍ଟ ଏହି ଆବେଦନର ଶୁଣାଣି କରିବା ସମୟରେ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ଅନୁମତି ଦେଇନଥିଲେ । ୟେମେନରେ ଥିବା ଭାରତୀୟ ଦୂତାବାସ ଏବେ ବନ୍ଦ ହୋଇସାରିଛି । ସେଠାରେ ଭାରତ ସରକାରଙ୍କ କୌଣସି ପ୍ରତିନିଧି କିମ୍ବା କୂଟନୈତିକ ଅଧିକାରୀ ନାହାନ୍ତି । ତେଣୁ କୌଣସି ପରିସ୍ଥିତିରେ ରାଜନୈତିକ କିମ୍ବା କୂଟନୈତିକ ସହାୟତା ପ୍ରଦାନ କରାଯିବା ସମ୍ଭବ ହେବ ନାହିଁ ବୋଲି ଦର୍ଶାଇ କେନ୍ଦ୍ର ଏହି ଅନୁମତିକୁ ଖାରଜ କରିଦେଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ନର୍ସଙ୍କ ମା’ଙ୍କୁ ନିଜସ୍ବ ଦାୟିତ୍ବରେ ୟେମେନ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :- CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍ ରାଜ୍ୟସଭାରେ ପାରିତ