ନୂଆଦିଲ୍ଲୀ: ବିବାଦୀୟ ନରେନ୍ଦ୍ର ମୋଦି ଡକ୍ୟୁମେଣ୍ଟାରୀ ମାମଲାରେ ପ୍ରସ୍ତୁତକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ମାନହାନି ମାମଲାରେ କୋର୍ଟଙ୍କ ପକ୍ଷରୁ ପ୍ରସ୍ତୁତକାରୀ ସଂସ୍ଥାକୁ ଏହି ସମନ ଜାରି କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ପ୍ରୋପାଗାଣ୍ଡା ଆଧାରିତ ଓ ଭାରତର ପ୍ରତିଷ୍ଠା କ୍ଷୂର୍ଣ୍ଣ କରିଥିବା ଦାଖଲ ଆବେଦନରେ ଦର୍ଶାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 15 ତାରିଖରେ ହେବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ବିବିସି ନିଜର ପକ୍ଷ ରଖିବ ।
Modi documentary row: BBC କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ ଗୁଜୁରାଟର ଏକ ସାମାଜିକ ସଂଗଠନ ଏହି ମାନହାନି ମାମଲା ଦାଖଲ କରିଥିଲା । ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀ ଓ ଭାରତର ପ୍ରତିଷ୍ଠା ହାନି କରିବାକୁ ଯୋଜନା ରଖାଯାଇଥିବା ଆବେଦନରେ ଦର୍ଶାଯାଇଥିଲା । ଆଜି ଏହି ମାନହାନି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସଚିନ ଦତ୍ତାଙ୍କ ଖଣ୍ଡପୀଠରେ ହୋଇଥିଲେ । ଏହି ମାମଲାରେ ପକ୍ଷ ରଖିବା ପାଇଁ ବିବିସିର ବ୍ରିଟେନ୍ ସ୍ଥିତ ମୁଖ୍ୟାଳୟ ଓ ଭାରତରେ ଥିବା କାର୍ଯ୍ୟାଳୟକୁ ସମନ କୋର୍ଟ ଜାରି କରିଛନ୍ତି । 15 ସେପ୍ଟେମ୍ବର ମଧ୍ୟରେ ବିବିସିକୁ ଏହାର ଉତ୍ତର ରଖିବାକୁ କୁହାଯାଇଛି ।
ଆବେଦନକାରୀ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖୁଛନ୍ତି । ଆଇନଜୀବା ସାଲଭେ କହିଥିଲେ, ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ସମଗ୍ର ଭାରତ ଓ ଦେଶର ନ୍ୟାୟପାଳିକାକୁ ମଧ୍ୟ ବଦନାମ କରିଛି । ଏହା ପୂର୍ବରୁ ପ୍ରଥମେ ଆୟକର ବିଭାଗ ମଧ୍ୟ ବିବିସି କାର୍ଯ୍ୟାଳୟରେ ରେଡ୍ କରିସାରିଛି । ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଆର୍ଥିକ ହେରଫେର ମାମଲାରେ ବିବିସିକୁ ତଦନ୍ତ ପରିସରଭୁକ୍ତ କରିଥିଲା । ବିଦେଶୀ ପାଣ୍ଠି ଅନିୟମିତତା ମାମଲାରେ ଫରେନ ଏକ୍ସଚେଞ୍ଜ୍ ମ୍ୟାନେଜମେଣ୍ଟ ଆକ୍ଟ (FEMA) ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବେ ଏହି ବହୁଚର୍ଚ୍ଚିତ ମାମଲା କୋର୍ଟରେ ପହଞ୍ଚିବା ପରେ ବିବିସିକୁ ପକ୍ଷ ରଖିବା ପାଇଁ ସମନ ମଧ୍ୟ ଜାରି କରାଯାଇଛି ।
2002 ମସିହାର ବହୁଚର୍ଚ୍ଚିତ ଗୁଜୁରାଟ ଗୋଧ୍ରା ଦଙ୍ଗା ଉପରେ ଏହି ବିବାଦୀୟ ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିଛି ବିବିସି । ଏଥିରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଦଙ୍ଗାରେ ତାଙ୍କର ଖଳ ଭୂମିକା ରହିଥିବା ମଧ୍ୟ ଡକ୍ୟୁମେଣ୍ଟାରୀରେ ଦେଖାଯିବାକୁ ପ୍ରୟାସ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ରିଲିଜ୍ ହେବା ପରେ ଏହାର ପ୍ରସାରଣକୁ ଭାରତରେ ବ୍ୟାନ କରାଯାଇଥିଲା । ଏହାକୁ ନେଇ ଦେଶରେ ରାଜନୀତି ହେବା ସହ ବିରୋଧୀ ସରକାର ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ