ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ନେଇଛନ୍ତି ଦୃଢ ପଦକ୍ଷେପ । ଇ-ବାଣିଜ୍ୟ ସେବା ଯୋଗାଉଥିବା କମ୍ପାନୀ ସମେତ ଫୁଡ ଡେଲିଭରୀ ସେବା ଆଦିକୁ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ ପେଟ୍ରୋଲ ପମ୍ପଗୁଡ଼ିକ ଯାନର ପଲ୍ୟୁସନ ସାର୍ଟିଫିକେଟ(Pollution-under-check certificate) ଦେଖି ଇନ୍ଧନ ଦେବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ସରକାର କହିଛନ୍ତି ଯେ, "ଜମାଟୋ, ସ୍ବିଗି, ଓଲା, ଉବର ଭଳି କମ୍ପାନୀକୁ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ଏହି କମ୍ପାନୀ ପକ୍ଷରୁ ପ୍ରାୟ ୩୦ ପ୍ରତିଶତ ଯାନ ଯାତାୟାତ କରୁଛି ।" ଏହି ନିୟମ ଲାଗୁ ପାଇଁ ଏହି କମ୍ପାନୀଗୁଡିକୁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଦିଆଯିବ । ପର୍ଯ୍ୟାୟକ୍ରମେ ନିୟମକୁ ଲାଗୁ କରାଯିବ । ଏଥିଲାଗି ତୁରନ୍ତ ଏକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।
ଏହା ବି ପଢନ୍ତୁ: ଡେସମଣ୍ଡ ଟୁଟୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
୨୦୨୦ ମସିହା ଅଗଷ୍ଟ ମାସରେ ଦିଲ୍ଲୀରେ ବିଦ୍ୟୁତଚାଳିତ ଯାନ ପାଇଁ ନୀତି ଜାରି କରାଯାଇଥିଲା । ୨୦୨୪ ସୁଦ୍ଧା ବିଦ୍ୟୁତ ଚାଳିତ ଗାଡ଼ିର କ୍ରୟକୁ ୨୫ ପ୍ରତିଶତ ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା । ସେପଟେ Flipkart ଭଳି କମ୍ପାନୀ ଆସନ୍ତା ୨୦୩୦ ସୁଦ୍ଧା ଏହି ଟାର୍ଗେଟ ପୂରଣ କରିବା ପାଇଁ ସମୟ ଧାର୍ଯ୍ୟ କରିଥିଲା । ଚଳିତ ବର୍ଷ ଅକ୍ଟୋବର ମାସରେ ପେଟ୍ରୋଲ ପମ୍ପରେ ସାର୍ଟିଫିକେଟର ଯାଞ୍ଚ ପାଇଁ ସରକାର ପ୍ରାୟ ୫୦୦ ଟିମକୁ ନିୟୋଜିତ ମଧ୍ୟ କରିଥିଲେ । ମୋଟର ଯାନ ଆକ୍ଟ ୧୯୯୩ ଅନୁସାରେ ଏହି ପଲ୍ୟୁସନ ସାର୍ଟିଫିକେଟ ନଥିବା ଯାନର ମାଲିକଙ୍କୁ ପ୍ରାୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା ।
୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ୧୦ ବର୍ଷ ପୂରଣ କରୁଥିବା ଗାଡ଼ିର ପୁଣି ପ୍ରଦୂଷଣ ପାଇଁ ଯାଞ୍ଚ କରାଯିବ । ଯାନ କୌଣସି ପ୍ରଦୂଷଣ ନ କରୁଥିଲେ ଏହାକୁ ନୋ ଅବଜେକ୍ସନ ସାର୍ଟିଫିକେଟ(NOC) ଦିଆଯିବ ବୋଲି ମଧ୍ୟ ଜଣାପଡ଼ିଛି । ଏକ ରିପୋର୍ଟ ଅନୁସାରେ ବିଶ୍ବରେ ଦିଲ୍ଲୀ ହେଉଛି ଅଧିକ ବାୟୁ ପ୍ରଦୂଷିତ ରାଜଧାନୀ । ଏହାସହିତ ଶୀଘ୍ର ଜନବସତି ବଢୁଥିବା ସହର ତାଲିକାରେ ଦିଲ୍ଲୀ ରହିଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏହି ନିୟମ ଲାଗୁ କରିଛନ୍ତି ।
@PTI