ନୂଆଦିଲ୍ଲୀ:ସାଇବର ଠକଙ୍କ କବ୍ଜାରେ ସେଲିବ୍ରେଟି । ନକଲି ଆଧାର କାର୍ଡ ତିଆରି କରି ବ୍ୟାଙ୍କରୁ କ୍ରେଡିଟ କାର୍ଡ ଆଣି ୫୦ ଲକ୍ଷ ଟଙ୍କାର ଠକେଇ କରିଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇଥିବା ବେଳେ ଗତକାଲି ୫ ଜଣଙ୍କୁ ଗିରଫ କରିଛି ପୂର୍ବ ଦିଲ୍ଲୀର ସାଇବର ସେଲ ପୋଲିସ । ଅଭିଷେକ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ସଚ୍ଚିନ ତେନ୍ଦୁଲକର ଏବଂ ଆଲିଆ ଭଟ୍ଟଙ୍କ ସମେତ ୯୫ଜଣ ସେଲିବ୍ରିଟିଙ୍କର ନକଲି ଆଧାର କାର୍ଡ ଏବଂ ପାନକାର୍ଡ ତିଆରି କରି ୫୦ ଲକ୍ଷ ଟଙ୍କା ଠକେଇ କରିଥିଲେ ।
ଏଭଳି ଜାଣିବାକୁ ପାଇଥିଲା ପୋଲିସ: ପୂର୍ବ ରେଞ୍ଜର ଯୁଗ୍ମ କମିଶନର ଛାୟା ଶର୍ମାଙ୍କ କହିବା ଅନୁସାରେ, ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, ହିମେଶ ରେଶମିଆ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ନାମରେ କିଛି ଲୋକ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ପୁଣେ ଭିତ୍ତିକ କ୍ରେଡିଟ କାର୍ଡ ତିଆରି କମ୍ପାନୀରୁ କ୍ରେଡିଟ କାର୍ଡ କରିଥିଲେ । ଏନେଇ କମ୍ପାନୀ ସହ ଜଡିତ ପ୍ରେମ ଶେଖୱାତ ଅଭିଯୋଗ କରିଥିଲେ । 21 ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଛି ।
ଅଭିଯୁକ୍ତମାନେ ଜୟପୁରର ବିଶ୍ୱ ଭାସ୍କରଙ୍କଠାରୁ ଠକେଇର କଳା ଶିଖିଥିଲେ: ପୋଲିସ ଏକ ମାମଲା ରୁଜୁ କରିବା ସହ କ୍ରେଡିଟ କାର୍ଡର ଆଇପି ଠିକଣା ଏବଂ ମୋବାଇଲ୍ ସି.ଡି.ଆର ଦ୍ବାରା ଅଭିଯୁକ୍ତମାନଙ୍କର ପତ୍ତା ଲଗାଇଥିଲା । ଯାଞ୍ଚରୁ ଜଣାପଡିଥିଲା ଯେ, ଦିଲ୍ଲୀ ଏବଂ ଜୟପୁରରୁ ଏହି ଗ୍ୟାଙ୍ଗ ଚାଲିଥିଲା । ଏହାପରେ ପୋଲିସ ଦିଲ୍ଲୀର ଛଜୁପୁର ଅଞ୍ଚଳରେ ଚଢାଉ କରି ସୁନୀଲ କୁମାରଙ୍କୁ ଗିରଫ କରିଥିଲା । ଏହାସହ ତା ନିକଟରୁ ନକଲି ଆଧାର କାର୍ଡ, ପ୍ୟାନ କାର୍ଡ, କ୍ରେଡିଟ କାର୍ଡ, ଇ-ଲେବର କାର୍ଡ, ଭୋଟର ପରିଚୟ ପତ୍ର ଜବତ କରାଯାଇଥିଲା । ଏହାସହ ସେ କହିଥିଲା," ଜୟପୁରରେ ରହୁଥିବା ବିଶ୍ୱ ଭାସ୍କର ଶର୍ମାଙ୍କ ଠାରୁ ଠକିବାର କଳା ଶିଖିଥିଲି । ଟେଲିଗ୍ରାମରେ ତାଙ୍କ ସହ ଦେଖା ହୋଇଥିଲା ।"