ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସୋସିଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ଆଉ 14 ଦିନ ଅର୍ଥାତ ଏପ୍ରିଲ 3 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ବିଚାର ବିଭାଗୀୟ ହାଜତ ଅବଧି ସରିବା ପରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଏହି ଅବଧିକୁ ପୁଣି ଆଉ 14 ଦିନ ଅର୍ଥାତ ଏପ୍ରିଲ 3 ତାରିଖ ଯାଏ ବୃଦ୍ଧି କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ସିସୋଦିଆଙ୍କ ବେଲ ଆବେଦନର ଶୁଣାଣି ହେବ ।
ପ୍ରଥମେ ସିବିଆଇ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ ଜେଲ୍ ଯାଇଥିଲେ ସିସୋଦିଆ । ପରେ ଏହି ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଜେଲ୍ରେ ଗିରଫ କରିଥିଲା । ଏବେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଷ୍ଟଡିରେ ଥିବା ବେଳେ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି । ଆଜି ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ ଏହି ମାମଲାରେ ଶୁଣାଣି କରି ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ଆଉ 14 ଦିନ ବଢାଇଛନ୍ତି ।
ମାର୍ଚ୍ଚ 22 ପର୍ଯ୍ୟନ୍ତ ସିସୋଦିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଷ୍ଟଡିରେ ରହିବେ । ଜେଲ୍ ଭିତରେ ତାଙ୍କୁ ଇଡି ଅଧିକାରୀ ଜେରା କରୁଛନ୍ତି । ଆଜି ତାଙ୍କର ପୂର୍ବ ମାମଲାରେ ନ୍ୟାୟିକ ହାଜତ ଅବଧି ଶେଷ ହେବା ପରେ ତାଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର କରିଥିଲା ସିବିଆଇ । ହେଲେ ଆଜି ମଧ୍ୟ ସିସୋଦିଆଙ୍କୁ ଆଉ 14 ଦିନ ନ୍ୟାୟିକ ହାଜତରେ ପଠାଯାଇଛି ।