ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ପିଚ୍ଛା ଛାଡୁନି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ସିବିଆଇ ଓ ଇଡି । ଗୋଟିଏ ପଟେ ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ସିବିଆଇ ଗତକାଲି ମାରାଥନ ଜେରା କରିଥିବା ବେଳେ ଆଜି ପୁଣି ଗିରଫ ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ବଢାଇ ଦେଇଛନ୍ତି କୋର୍ଟ । ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ଅପ୍ରିଲ 27କୁ ବୃଦ୍ଧି କରିଛନ୍ତି ।
ଆଜି(ସୋମବାର) ସିସୋଦିଆଙ୍କୁ ରାଉଜ ଆଭିନ୍ୟୁ କୋର୍ଟର ସ୍ପେସାଲ ଜଷ୍ଟିସ ଏମ.କେ ନାଗପାଲଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ନିକଟରେ ଜଷ୍ଟିସ ନାଗପାଲ ସିସୋଦିଆଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ । ସିସୋଦିଆଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି । ଘଟଣାର ତଦନ୍ତ ଜାରି ରହିଛି । ଏପରି ସ୍ଥିତିରେ ସିସୋଦିଆଙ୍କୁ ବେଲ ମିଳିପାରିବ ନାହିଁ ବୋଲି ଜଷ୍ଟିସ ନାଗପାଲ କହିଥିଲେ ।
ଫେବୃଆରୀ 26ରେ ଗିରଫ ହୋଇଥିଲେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ମାରାଥନ ଜେରା ପରେ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସେ ପ୍ରମାଣ ନଷ୍ଟ କରିବା ଓ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ସେ ବେଲ୍ ନପାଇ ଜେଲକୁ ଗଲା ପରେ ତାଙ୍କ ବିରୋଧରେ ଦିଲ୍ଲୀ ସରକାରରେ ଫିଡବ୍ୟାକ ୟୁନିଟ ଗଠନ କରି ଗୁପ୍ତଚରି କରିଥିବା ମାମଲା ମଧ୍ୟ ରୁଜୁ ହୋଇଥିଲା । ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ତଦନ୍ତ ପରିଧିରେ ଅଛନ୍ତି ସିସୋଦିଆ । ପୂର୍ବରୁ ମଧ୍ୟ ଏକାଧିକ ଥର ତାଙ୍କ ଜାମିନ ଖାରଜ ହୋଇସାରିଛି । ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି ।