ନୂଆଦିଲ୍ଲୀ: ଜଣେଛାତ୍ରଙ୍କୁ ମାଡ ମାରିବା ମାମଲାରେ ଆମ ଆଦମୀ ପାର୍ଟିର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଆଜି ରାଉଜ ଆଭିନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ହେଲେ କୋର୍ଟଙ୍କ ଏହି ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଏବେ ସବୁଠି ଚର୍ଚ୍ଚାର କାରଣ ପାଲଟିଛି । କୋର୍ଟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରି 30 ହଜାର ଟଙ୍କାର ଫାଇନରେ ଦଣ୍ଡିତ କରିବା ସହ ସମ୍ପୂର୍ଣ୍ଣ ଗୋଟିଏ ଦିନ କୋର୍ଟ ପରିସରରେ ଛିଡା ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
2020 ମସିହାରେ ଜଣେ ଆଇନ ଛାତ୍ରଙ୍କୁ ବିଧାୟକ ପତି ଆକ୍ରମଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଚଳିତବର୍ଷ ମାର୍ଚ୍ଚରେ ବିଧାୟକ ତ୍ରିପାଠୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ଆଜି ତାହା ପ୍ରକାଶ ପାଇଛି ।କୋର୍ଟ ତାଙ୍କୁ ଅର୍ଥଦଣ୍ଡ ସହ କୋର୍ଟ ପରିସରରେ ଗୋଟିଏ ଦିନ ଛିଡା କରାଇଛନ୍ତି । ମୋଟ ଫାଇନ ପରିମାଣରୁ 6,500 ଟଙ୍କା ବିଧାୟକଙ୍କୁ କୋର୍ଟରେ ଜମା କରିବାକୁ କୁହାଯାଇଥିବା ବେଳେ ଅବଶିଷ୍ଟ 23,500 ପୀଡିତ ଛାତ୍ରକୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ବିଧାୟକଙ୍କୁ ଆଇପିସି ଧାରା-323 ଓ ଏସ-ଏସଟି ଆକ୍ଟରେ ବୁକ କରିଥିଲା ପୋଲିସ ।