ନୂଆଦିଲ୍ଲୀ:ବିବାଦୀୟ ଟ୍ବିଟ୍ ମାମଲାରେ ଗିରଫ ହୋଇଥିବା ଜଣାଶୁଣା ସମ୍ବାଦିକ ମହମ୍ମଦ ଜୁବୈରଙ୍କୁ ସାମାନ୍ୟ ଆଶ୍ବସ୍ତି । ଏହି ମାମଲାରେ ଦିଲ୍ଲୀର ପଟିଆଲାହାଉସ କୋର୍ଟ ମହମ୍ମଦ ଜୁବୈରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସତ୍ତ୍ବେ ସେ ଜେଲ୍ରୁ ବାହାରି ପାରିବେ ନାହିଁ ।
ବିବାଦୀୟ ଟ୍ବିଟ୍ ମାମଲାରେ ଜୁବୈରଙ୍କୁ ଜାମିନ ଆବେଦନ ମଳିଥିଲେ ସୁଦ୍ଧା ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅନ୍ୟ ମାମଲା ସଙ୍ଗୀନ ରହିଛି । ଏଣୁ ସେ ଏବେ ବି ଜେଲ୍ରେ ରହିବେ । ଯେତେବେଳେ ଯାଏଁ ସମସ୍ତ ମାମଲାରେ ଏକକାଳୀନ ଶୁଣାଣି ନହୋଇଛି ସେପର୍ଯ୍ୟନ୍ତ ତାଙ୍କୁ ଜେଲ୍ରେ ରହିବାକୁ ପଡ଼ିବ ।
୫୦ ହଜାର ଟଙ୍କା ମୁଦାଲାରେ ଜୁବୈରଙ୍କୁ ବିବାଦୀୟ ଟ୍ବିଟ୍ ମାମଲାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସେପଟେ ତାଙ୍କୁ ଜାମିନ ଦେବା ପକ୍ଷରେ ନଥିଲା ପୋଲିସ । ଜୁବୈରଙ୍କୁ ବିଦେଶରୁ ଫଣ୍ଡ ମିଳୁଥିବା ପୋଲିସ ଅଭିଯୋଗ କରିଛି । ଏଥିପାଇଁ ସେ ଜାମିନରେ ଗଲେ ପ୍ରମାଣ ନଷ୍ଟ କରି ପାରନ୍ତି ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି ।
ମହମ୍ମଦ ଜୁବେରଙ୍କ ବିରୋଧରେ କେବଳ ଉତ୍ତର ପ୍ରଦେଶରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ଦିଲ୍ଲୀରେ ଗୋଟିଏ ମାମଲା ରୁଜୁ ହୋଇଛି । ସୀତାପୁରରେ ଦାଖଲ ହୋଇଥିବା ମାମଲାରେ ତାଙ୍କୁ ପୂର୍ବରୁ ଜାମିନ ମିଳିଥିଲା । ଏବେ ଦିଲ୍ଲୀରେ ଦାଖଲ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି । ସମସ୍ତ ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହମ୍ମଦ ଜୁବୈର । ଏହି କ୍ରମରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା SIT ତଦନ୍ତ ବନ୍ଦ କରିବାକୁ ମଧ୍ୟ ସେ ଆବେଦନ କରିଛନ୍ତି ।