ନୂଆଦିଲ୍ଲୀ:ପୋଲିସକୁ କଂଗ୍ରେସ ନେତାଙ୍କ ଅସମ୍ମାନ । ଦିଲ୍ଲୀ ପୋଲିସକୁ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୁଣି ଥରେ ଗିରଫ ହେଲେ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ ମହମ୍ମଦ ଆସିଫ ଖାନ(Delhi MLA Mohammad Asif Khan has been arrested) । ଖାନଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା, ଏହାପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।
ପୋଲିସର କହିବା ଅନୁଯାୟୀ, ''ଦିଲ୍ଲୀ ପୋଲିସର ଏକ ଟିମ ଶାହିନ ବାଗ ଅଞ୍ଚଳରେ ଗାଡି ଚୋରି ମାମଲାର ତଦନ୍ତ କରି ସିସିଟିଭି ଫୁଟେଜ ଖୋଜୁଥିଲା । ଏହି ସମୟରେ କଂଗ୍ରେସ ନେତା ମହମ୍ମଦ ଆସିଫ ଖାନ ଘଟଣାସ୍ଥଳରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ତାଙ୍କ ବିରୋଧରେ ଭାରତ ଦଣ୍ଡବିଧି ସଂହିତା ଅନୁଯାୟୀ ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ବ ତୁଲାଇବାରେ ବାଧା ସୃଷ୍ଟି କରିବା, ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା, ଜଣେ ବ୍ୟକ୍ତିଙ୍କୁ କାମରେ ରୋକିବା ଏବଂ ଜାତି, ଧର୍ମ, ଜନ୍ମସ୍ଥାନ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ନେଇ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ବର୍ତ୍ତମାନ ସେ ଜେଲରେ ଅଛନ୍ତି । ''
ଏହା ପୂର୍ବରୁ ୨୦୨୧ ମସିହାରେ ଅସିଫ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (SDMC)ର ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ସରକାରୀ କର୍ମଚାରୀଙ୍କୁ ରାସ୍ତା ଉପରେ ଗାଳି ଗୁଲଜ କରିବା ସହ କାନ ଧରି ବସ୍ ଉଠ୍ ହେବା ପାଇଁ ବାଧ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ପରେ ଅସିଫଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଓଖଲା ଅଞ୍ଚଳରେ ମହମ୍ମଦ ଅସିଫ ଖାନ ତାଙ୍କର କିଛି ଦଳୀୟ ପୋଷ୍ଟର ଲଗାଇଥିଲେ ।
ଦିଲ୍ଲୀ ମ୍ୟୁନସିପାଲ୍ କର୍ପୋରେସନ୍ (SDMC)ର ଏହି କର୍ମଚାରୀମାନେ ସେହି ପୋଷ୍ଟରଗୁଡ଼ିକୁ ଖୋଲି ଦେଇଥିଲେ । ଏହାକୁ ନେଇ ଅସିଫ ଖାନ ରାଗି ଯାଇ ଉକ୍ତ କର୍ମଚାରୀଙ୍କ ସହ ଏପରି ବ୍ୟବହାର କରିଥିବା ଜଣାପଡିଥିଲା । ଗିରଫ ହେବାର କିଛି ମାସ ଜେଲରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ ଯଦି ପରବର୍ତ୍ତୀ ସମୟରେ ସେ ପୁଣି ଏପରି କିଛି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ କୋର୍ଟ । ତେବେ ଜାମିନରେ ଆସିବା ପରେ ପୁଣି ଥରେ କଂଗ୍ରେସ ନେତା ପୋଲିସ କର୍ମୀଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛନ୍ତି । ବର୍ତ୍ତମାନ କୋର୍ଟ ତାଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ୧୪ ଦିନ ପରେ ପୁଣି କୋର୍ଟରେ ହାଜର ହେବେ କଂଗ୍ରେସ ନେତା ।