ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେଲା କୋରୋନା ଟୀକାକରଣର ପ୍ରଥମ ଡୋଜର (Delhi completes first dose) ୧୦୦ ପ୍ରତିଶତ ଟୀକା । ଶୁକ୍ରବାର ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Aravind Kejriwal) ଟ୍ବିଟ କରି ସୂଚନା ଦେଇଛନ୍ତି । କୋରୋନା ଯୋଦ୍ଧା ଓ ମେଡିକାଲ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
କୋରୋନା ଟୀକାକରଣର ପ୍ରଥମ ଡୋଜର ୧୦୦ ପ୍ରତିଶତ ଯୋଗ୍ୟ ଲୋକଙ୍କୁ ଟୀକାକରଣ କରିଥିବା ଘୋଷଣା କରିଛି ଦିଲ୍ଲୀ ସରକାର । ଦିଲ୍ଲୀରେ ମୋଟ ୧୪୮.୩୩ ଲକ୍ଷ ଲୋକଙ୍କୁ କୋରୋନା ଟୀକାର ପ୍ରଥମ ଡୋଜ ଦିଆଯାଇଛି। ବିଶେଷ କରି ଏହି ଟୀକାକରଣ ପ୍ରକ୍ରିୟାରେ ଭାଗ ନେଇଥିବା ଡାକ୍ତର, ଏନଏନଏମ, ଶିକ୍ଷକ, ଆଶା ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାପ୍ରଶାସନ, ଜିଲ୍ଲା ମେଡିକାଲ କର୍ମଚାରୀଙ୍କ ସହଯୋଗ ଯୋଗୁଁ ସଫଳ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ଶୁକ୍ରବାର ୧୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ କୋରୋନା ପଜିଟିଭ ହାର ୦.୧୩ ପ୍ରତିଶତ ରହିଛି ।