ନୂଆଦିଲ୍ଲୀ:ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ଓ ଇସ୍ତଫା ପରେ ଆମ ଆଦମୀ ପାର୍ଟିରେ ଏବେ ରାଜନୈତିକ ସଙ୍କଟ ସୃଷ୍ଟି ହେବା ପରି ସ୍ଥିତି ଦେଖିବାକୁ ମିଳିଛି । ଗତକାଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବରୁ ଗିରଫ ଅନ୍ୟତମ ଗିରଫ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଜି ଆମ ଆଦମୀ ପାର୍ଟିର ବିଧାୟକ ଓ କାଉନସିଲରଙ୍କ ଏକ ବୈଠକ ଡାକିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ସଂଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।
ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ବୈଠକ ଡକାଯାଇଥିବାରୁ ଏଥିରେ ଏହି ପ୍ରସଙ୍ଗ ଓ ବର୍ତ୍ତମାନର ରାଜନୈତିକ ସଙ୍କଟ ସ୍ଥିତି ନେଇ ଆଲୋଚନା ହେବାକୁ ଯାଉଥିବା ଅନୁମାନ କରାଯାଉଛି । ଅନ୍ୟ ଏକ ସୂଚନା ଅନୁସାରେ, ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ଆଜି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ମନ୍ତ୍ରୀ କୈଳାଶ ଗେହେଲଟ ଓ ରାଜକୁମାର ଆନନ୍ଦଙ୍କୁ ଦାୟିତ୍ବ ପ୍ରଦାନ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ମନ୍ତ୍ରୀ ସିସୋଦିଆଙ୍କ ଅଧୀନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସହ ମୋଟ 18ଟି ବିଭାଗ ରହିଥିଲା । ସେହି ବିଭାଗଗୁଡିକୁ ଏହି ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିବାକୁ କେଜ୍ରିଓ୍ବାଲ ନିଷ୍ପତ୍ତି ଗ୍ରହଣ କରିବା ସହ ଉପରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଯାହାକୁ ରାଜଭବନ ପକ୍ଷରୁ ଅନୁମୋଦନ ମିଳିଛି ।