ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଲୋକସଭା ନିର୍ବାଚନ ପୂର୍ବରୁ ମୋ ଭାବମୂର୍ତ୍ତିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କେଜ୍ରିଓ୍ବାଲ । ନିଜର ସ୍ବଚ୍ଛ ଭାବମୂର୍ତ୍ତି ଉପରେ କହିବା ସହ ସେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ମୋ ଉପରେ ଭୁଲ ଆରୋପ ଲଗାଇ ମୋତେ ବିଜେପି ବଦନାମ କରିବାକୁ ଚାହୁଁଛି ଓ ଲୋକସଭା ନିର୍ବାଚନରେ ମୁଁ କେମିତି ପ୍ରଚାର ନକରେ ତାହା ବିଜେପି ଚାହୁଁଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।
କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି , " ଲୋକସଭା ନିର୍ବାଚନରେ ମୁଁ ପ୍ରଚାର କରେ, ତାହା ବିଜେପି ଚାହୁଁ ନାହିଁ । ଗତ ଦୁଇ ବର୍ଷ ହେଲା ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । କିନ୍ତୁ ଲୋକସଭା ନିର୍ବାଚନ 2 ମାସ ପୂର୍ବରୁ ମୋତେ ସମନ କରାଯାଉଛି । ଏହା ପୂର୍ବରୁ କାହିଁକି ସମନ କରାଗଲା ନାହିଁ । 8 ମାସ ପୂର୍ବରୁ ସିବିଆଇ ମୋତେ ସମନ କରିଥିଲା । ସିବିଆଇରେ ହାଜର ହୋଇ ମୁଁ ସବୁ ପ୍ରଶ୍ନର ମୁଁ ଉତ୍ତର ରଖିଥିଲି । କିନ୍ତୁ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୋତେ ଏବେ ସମନ କରାଯାଉଛି । ମୋତେ ପଚରା ଉଚରା କରିବା ବିଜେପିର ଉଦ୍ଦେଶ୍ୟ ନୁହଁ, ବରଂ ପଚରାଉଚରା ବାହାନାରେ କେଜ୍ରିଓ୍ବାଲଙ୍କୁ ସମନ କର ଓ ତାଙ୍କୁ ଗିରଫ କର । ଯେମିତି କି ମୁଁ ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବି ନାହିଁ । ମୋର ସବୁଠୁ ବଡ ସମ୍ପତ୍ତି ହେଉଛି ମୋର ସଚ୍ଚୋଟତା । ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। "
ଏହା ମଧ୍ୟ ପଢନ୍ତୁ-ଆଜି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ଇଡି: ଆପ୍ ମନ୍ତ୍ରୀ