ଓଡିଶା

odisha

ETV Bharat / bharat

Kanjhawala Accident: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ-ଉପ ରାଜ୍ୟପାଳ, ପରିବାରର ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀରେ ଦୁର୍ଘଟଣା ପରେ ଯୁବତୀଙ୍କୁ ୪କିମି କାର ଘୋଷାଡ଼ିନେବା ଘଟଣା (Delhi Girl dragging accident) । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (CM Arvind kejriwal) ଓ ଉପ ରାଜ୍ୟପାଳ ଘଟଣାର ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି । ସେପଟେ ପରିବାରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କିରଛନ୍ତି । ଅଧିକ ପଢନ୍ତୁ

Kanjhawala Accident
Kanjhawala Accident

By

Published : Jan 2, 2023, 7:49 PM IST

Kanjhawala Accident: ଘଟଣାକୁ ଉଭୟ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣରଙ୍କ ନିନ୍ଦା, ପରିବାରର ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଦୁର୍ଘଟଣା ପରେ ଯୁବତୀଙ୍କୁ ୪କିମି ଘୋଷାଡ଼ି ଆଣିବା ଘଟଣା (Delhi girl dragging accident)। ଏନେଇ ସୋମବାର ପ୍ରତିକ୍ରିୟା ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (CM Arvind Kejriwal) ଓ ଉପ ରାଜ୍ୟପାଳ ବିନାଇ କୁମାର ସକ୍ସେନା । ମୁଖ୍ୟମନ୍ତ୍ରୀ ଏହାକୁ ଅତ୍ୟନ୍ତ ବିରଳ ଅପରାଧ କହିଥିବା ବେଳେ ଉପ ରାଜ୍ୟପାଳ (Delhi Lieutenant Governor VK Saxena) ଏହାକୁ ଅମାନବିକତା କାର୍ଯ୍ୟ ବୋଲି କହିଛନ୍ତି । ସେପଟେ ମୃତ ଯୁବତୀଙ୍କ ପରିବାର ଦୁଷ୍କର୍ମ ଅଭିଯୋଗ ଆଣିଛି । ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିବା ସହ ୫ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେଇଛି ।

ମୁଖ୍ୟମନ୍ତ୍ରୀ-ଗଭର୍ଣ୍ଣରଙ୍କ ପ୍ରତିକ୍ରିୟା

ଏନେଇ ପ୍ରତିକ୍ରିୟା ରଖି କେଜ୍ରିୱାଲ କହିଛନ୍ତି, "ଏହା ଏକ ବିରଳ ଅପରାଧ । ସମାଜ କେଉଁ ଦିଗକୁ ଧୀରେ ଧୀରେ ଗତି କରୁଛି ମୁଁ ବୁଝିପାରୁନାହିଁ । ମୋତେ ମିଳିଥିବା ସୂଚନା ଅନୁସାରେ ମୃତ ଯୁବତୀଙ୍କ ବ୍ୟବଚ୍ଛେଦ କରାଯାଉଛି ।" ୫୦ ବୈଦ୍ୟୁତିକ ବସ୍‌ର ଉଦଘାଟନୀ ସମାରୋହରେ ଯୋଗଦେବା ସମୟରେ ଘଟଣା ଉପରେ ଏଭଳି ପ୍ରତିକ୍ରିୟା କରିଛନ୍ତି କେଜ୍ରିୱାଲ । ଏହାସହିତ ଯୁବତୀଙ୍କ ନ୍ୟାୟ ପ୍ରଦାନ ଲାଗି ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଜେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Road Accident: ସ୍କୁଟି ଆରୋହୀ ଯୁବତୀଙ୍କୁ ୪କିମି ଘୋଷାଡିଲା କାର, ନଗ୍ନ ମୃତଦେହ ଉଦ୍ଧାର ସହ ୫ ଅଟକ

ସେପଟେ ଉପ ରାଜ୍ୟପାଳ ଘଟଣା ସମ୍ବନ୍ଧରେ ପ୍ରତିକ୍ରିୟା ରଖି କହିଛନ୍ତି, "ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲି । ଏଭଳି ଅମାନବିକତା କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଓ ପରିବାରକୁ ନ୍ୟାୟ ଦେବା ଲାଗି ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଏପରି କାର୍ଯ୍ୟକୁ ଏଡାଇବା ଲାଗି ଅଧିକ ଯତ୍ନବାନ ହେବା ଆବଶ୍ୟକ ।"

'ବାରମ୍ବାର ଯୁବତୀଙ୍କୁ ଗୋଟିଏ ରାସ୍ତାରେ ଘୋଷାଡ଼ିଥିଲା କାର'

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଦୀପକ ଦହିୟା କହିଛନ୍ତି, "ପ୍ରାୟ ରାତି ୩.୨୦ଟା । ମୁଁ ମୋ ଦୋକାନ ବାହାରେ ଠିଆ ହୋଇଥିଲା । ମୁଁ ଜୋରରେ ଏକ ଶବ୍ଦ ଶୁଣିଲି । ଉକ୍ତ କାରଟି ମୋ ନିକଟରୁ ୧୦୦ମି ଦୂରରେ ରହିଥିଲା । ପ୍ରଥମେ ମୁଁ ଭାବିଥିଲି ହୁଏତ ଏହା ଟାୟାର ଫାଟିବାର ଶବ୍ଦ । କାରଟି ନିକଟକୁ ଆସିବା ପରେ ଏହା ତଳେ ଏକ ଯୁବତୀଙ୍କୁ ଦେଖିବାକୁ ପାଇଥିଲି । ଅଭିଯୁକ୍ତମାନେ ଯୁବତୀଙ୍କୁ ଉକ୍ତ ରାସ୍ତାରେ ବାରମ୍ବାର ନେଉଥିଲେ । ମୁଁ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲି, ହେଲେ ସେମାନେ ଶୁଣିନଥିଲେ । ପ୍ରାୟ ୧.୩୦ ଘଣ୍ଟା ଧରି ସେମାନେ ଯୁବତୀଙ୍କ ଶରୀରକୁ ୨୦କିମି ଘୋଷାଡ଼ି ନେଇଥିଲେ । ଯେତେବେଳେ ଯୁବତୀଙ୍କ ଶରୀର କାରରୁ ଖସିପଡ଼ିଥିଲା ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ଏହା କେବଳ ଗୋଟିଏ ଦୁର୍ଘଟଣା ନୁହେଁ ।"

ଏହା ବି ପଢନ୍ତୁ- ଦିଲ୍ଲୀରେ ଯୁବତୀଙ୍କୁ କାର ଘୋଷାଡିବା ଘଟଣା, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ପରିବାର ଆଣିଲା ଦୁଷ୍କର୍ମ ଅଭିଯୋଗ

ଏହି ଘଟଣା ସମ୍ପର୍କରେ ପରିବାରକୁ ପ୍ରାୟ ସକାଳ ୧୧ଟା ସମୟରେ ସୂଚନା ପାଇଥିବା ମୃତ ଯୁବତୀଙ୍କ ସମ୍ପର୍କୀୟ କହିଛନ୍ତି । ଯୁବତୀ ଜଣକ କାଞ୍ଝିୱାଲାରୁ କୌଣସି ଏକ ଇଭେଣ୍ଟରୁ ଫେରୁଥିଲେ । ଏହି ସମୟରେ ଯୁବତୀଙ୍କ ସହିତ ଏପରି ଦୁର୍ଘଟଣା ଘଟିଥିଲା । ତାଙ୍କ କହିବାନୁସାରେ ସେମାନେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହାପରେ ତାକୁ ହତ୍ୟା କରିଛନ୍ତି । ଏହାସହିତ ଯୁବତୀଙ୍କ ମାଆଙ୍କ କହିବାନୁସାରେ ସେ ଘରେ ଜଣାଇ ଇଭେଣ୍ଟ ପାଇଁ ଯାଇଥିଲେ ଏବଂ ଫେରିବା ବେଳକୁ ବିଳମ୍ବ ହେବ ବୋଲି ମଧ୍ୟ କହିଥିଲେ । ଯୁବତୀ ଜଣକ ସହିତ ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ମାଆ ଅଭିଯୋଗ ଆଣିଛନ୍ତି ।

ଅଭିଯୁକ୍ତ ଗିରଫ

ଦୁର୍ଘଟଣା ଘଟାଇଥିବା କାର ମଧ୍ୟରେ ୫ଜଣ ଯୁବକ ରହିଥିଲେ । ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଦୀପକ ଖନ୍ନା(୨୬), ଅମିତ ଖନ୍ନା (୨୫), କ୍ରିଶନ (୨୭), ମିଥୁନ (୨୬) ଓ ମନୋଜ ମିତ୍ତଲ । ଏମାନଙ୍କ ବିରୋଧରେ ପୋଲିସ IPC ଧାରା ୨୭୯ ଓ ୩୦୪-ଏ ଅନୁସାରେ ମାମଲା ରୁଜୁ କରିଛି । ଏହି ଗାଡ଼ିକୁ ଦୀପକ ନାମକ ଅଭିଯୁକ୍ତ ଚଲାଉଥିବା ବେଳେ ଅମିତ ଉତ୍ତମ ନଗର SBI କାର୍ଡର ଡିଲର ଥିଲା । ସେପଟେ କନୌଟ ପ୍ୟାଲେସ ନିକଟରେ କ୍ରୀଶନ କାମକରୁଥିବା ବେଳେ ମିଥୁନ ଜଣେ ହେୟାର ଆର୍ଟିଷ୍ଟ । ମିତ୍ତଲ ସୁଲତାନପୁରୀରେ ଫୁଡ ଡିଲର ଭାବେ କାର୍ଯ୍ୟ କରେ । ଅଭିଯୁକ୍ତଙ୍କ କହିବାନୁସାରେ ସେମାନେ ନିଶା ଦ୍ରବ୍ୟ ସେବନ କରିଥିବା ବେଳେ କାରରେ ଖୁବ ଜୋର ସାଉଣ୍ଡରେ ଗୀତ ବଜାଉଥିଲେ । ଯୁବତୀ ଜଣକ ସେମାନଙ୍କ କାର ତଳେ ଥିବା ସେମାନେ ଜାଣିପାରିନଥିବା କହିଛନ୍ତି । ସେପଟେ ପୋଲିସ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଏହା ବି ପଢନ୍ତୁ- ଦିଲ୍ଲୀରେ ଯୁବତୀଙ୍କୁ ଘୋଷାଡି ନେଲା କାର, ସାମ୍ନାକୁ ଆସିଲା CCTV ଫୁଟେଜ

କଣ ଥିଲା ଘଟଣା ?

ଗତ ଶନିବାର ଯୁବତୀ ଜଣକ ସ୍କୁଟିରେ ଆସୁଥିବା ବେଳେ ତାଙ୍କୁ କାର ଧକ୍କା ଦେଇଥିଲା । ଏହାପରେ ସେ ଯୁବତୀ ଜଣକ କାରର ଚକରେ ଫସିଯାଇଥିବା ବେଳେ କାରଟି ତାଙ୍କୁ ପ୍ରାୟ ୪କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏଥିରେ ଯୁବତୀ ଜଣକ ପିନ୍ଧିଥିବା କପଡ଼ା ଚିରି ହୋଇଯାଇଥିବା ବେଳେ ସେ ଉଲଗ୍ନ ହୋଇପଡ଼ିଥିଲେ । ଏହାସହିତ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଯୁବତୀଙ୍କ ନଗ୍ନ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସମ୍ପର୍କରେ ପୋଲିସକୁ ରାତି ୩.୨୪ରେ କେହି ଯୋଗାଯୋଗ କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଆଉ ଗୋଟିଏ ନମ୍ବରରୁ ୪.୨୩ରେ ପୋଲିସକୁ ଫୋନ ଆସିଥିଲା । ଏକ ମୃତଦେହ ମିଳିଥିବା ନେଇ ପୋଲିସ ଜାଣିବା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ABOUT THE AUTHOR

...view details