ହାଇଦ୍ରାବାଦ:ଦିଲ୍ଲୀ ସୁଲତାନପୁରୀ କାଞ୍ଝଓ୍ବାଲ କାର ଟ୍ରାଜେଡି ମାମଲାରେ ସାମ୍ନାକୁ ଆସିଛି ନୂଆ ଚାଞ୍ଚଲ୍ୟକର ତଥ୍ୟ । ଦୁର୍ଘଟଣା ପରେ ଯୁବତୀଜଣଙ୍କ କାର ତଳେ ଲାଖି ରହିଥିବା ନେଇ ଅଭିଯୁକ୍ତଙ୍କୁ ଜଣାଥିଲା । ତଥାପି ସେମାନେ କାର ଅଟକାଇ ନଥିଲେ (accused Knew woman trapped under car) । ଏହାକୁ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ଅଭିଯୁକ୍ତମାନେ । ଦୁର୍ଘଟଣା ପରେ ଭୟଭୀତ ହୋଇପଡିଥିବାରୁ ଏପରି କରିଥିବା ଅଭିଯୁକ୍ତମାନେ କହିଛନ୍ତି ।
ଅଭିଯୁକ୍ତ ପୋଲିସକୁ ଦେଇଥିବା ସୂଚନା ଅନୁସାରେ, ସେମାନେ ଭୟଭୀତ ଥିବା କାରଣରୁ କାର ନଅଟକାଇ ଏଣେ ତେଣେ ଘୁରି ବୁଲିଥିଲେ । କାରଟି ଏକାଧିକ ୟୁ-ଟର୍ଣ୍ଣ ନେଇ ସୁଲତାନପୁରୀ ଅଞ୍ଚଳର ବିଭିନ୍ନ ଗଳିରେ ଘୁରି ବୁଲିଥିଲା । ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ 13 କି.ମି ପର୍ଯ୍ୟନ୍ତ ଯୁବତୀ କାର ସହ ଘୋଷାଡି ହୋଇଯାଇଥିଲେ । ଫଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲ ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତମାନେ ଦୁର୍ଘଟଣା ପରେ ଅତ୍ୟଧିକ ଡରି ଯାଇଥିଲେ । ସେମାନେ ଗାଡି ଅଟକାଇବା ପରିବର୍ତ୍ତେ ଗାଡି ଦୃତଗତିରେ ଚଲାଇ ଘୁରି ବୁଲିଥିଲେ । ଏପରି କରିବା ଦ୍ବାରା ଗାଡିରେ ଲାଖିଥିବା ଯୁବତୀ କାରରୁ ବାହାରି ରାସ୍ତାରେ ପଡିଯିବେ ବୋଲି ସେମାନେ ଅନୁମାନ କରିଥିଲେ । ତେବେ ପୂର୍ବରୁ ଅଭିଯୁକ୍ତମାନେ କରିଥିବା ସ୍ବୀକାରୋକ୍ତି ମିଥ୍ୟା ଓ ମନଗଢା ବୋଲି ପୋଲିସ କହିଛି । ପ୍ରାଥମିକ ଭାବେ ଏହି ଅଭିଯୁକ୍ତମାନେ ଯୁବତୀ କାର ତଳେ ଲାଖି ରହିଥିବା ନେଇ ଜାଣିନଥିବା କହିଥିଲେ । କାରରେ ଉଚ୍ଚ ଭଲ୍ୟୁମରେ ଗୀତ ବାଜୁଥିଲା । ସେମାନେ ଯୁବତୀଜଣଙ୍କ କାର ତଳେ ଲାଖି ରହିଥିବା ନେଇ କୌଣସି ଆଭାସ ପାଇନଥିବା ପୋଲିସକୁ କହିଥିଲେ । ଯାହା ଏବେ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି ।
ଏହି ଘଟଣାରେ ପ୍ରଥମେ 5ଜଣଙ୍କୁ ଓ ପରେ ଅନ୍ୟ ଦୁଇଜଣଙ୍କୁ ମିଶାଇ ମୋଟ 7 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଲାଣି । ଅଭିଯୁକ୍ତଙ୍କ ମଧ୍ୟରେ ଦୀପକ ଖାନ୍ନା, ମନୋଜ ମିତ୍ତଲ, ଅମିତ ଖାନ୍ନା, କୃଷ୍ଣ, ମିଥୁନ, କାରର ମାଲିକ ଆଶୁତୋଷ ଏବଂ ଅଙ୍କୁଶ ନାମକ ଜଣେ ଅଭିଯୁକ୍ତର ଭାଇକୁ ଗିରଫ କରାଯାଇଛି । ତଦନ୍ତ ଯେତିକି ଆଗଉଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅନ୍ୟପଟେ ଦୁର୍ଘଟଣା ଦିନ ମୃତ ଅଞ୍ଜଳିଙ୍କ ସହ ସ୍କୁଟିରେ ଥିବା ସହଯୋଗୀ ତଥା ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ନିଧି ମଧ୍ୟ ପୋଲିସ ସ୍କାନରରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ