ଭୋପାଳ:ବିମାନ ଯାତ୍ରା ସମୟରେ ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା । ମେଡିକାଲ ଏମର୍ଜେନ୍ସି ପାଇଁ ଭୋପାଳରେ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ । ଗତକାଲି କେରଳର କୋଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ 6E 2407 ବିମାନ ଭୋପାଳ ବିମାନ ବନ୍ଦରରେ ଅବତରଣ କରିଛି । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ଇଣ୍ଡିଗୋ ବିମାନ 6E 2407 କୋଚି ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହି କାରଣରୁ ପାଇଲଟ ଦିଲ୍ଲୀ ବଦଳରେ ଭୋପାଳ ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲେ । ଏହାପରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ତେବେ କିଏ ସେହି ଯାତ୍ରୀ ଏବଂ ତାଙ୍କର କ'ଣ ହୋଇଥିଲା ସେନେଇ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କେବଳ ମେଡିକାଲ ଏମର୍ଜେନ୍ସି କାରଣରୁ ବିମାନ ଭୋପାଳରେ ଅବତରଣ କରିଥିବା କୁହାଯାଇଛି । ତେବେ ଏଥିପାଇଁ ଅନ୍ୟ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡିଥିବାରୁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।