ନୂଆଦିଲ୍ଲୀ:ଚଳିତବର୍ଷ ଶେଷ ସୁଦ୍ଧା 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଥିବା ଭାରତୀୟ ଜନତା ପାର୍ଟି ଆଜି (ରବିବାର) କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଡାକିଛି । ଦିଲ୍ଲୀରେ ଆଜି ସଂଧ୍ୟାରେ ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ତମାମ ବରିଷ୍ଠ ନେତା ତଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । 5 ରାଜ୍ୟରେ ପ୍ରାର୍ଥୀ ଚୂଡାନ୍ତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ।
ରାତି ପ୍ରାୟ 8 ଟାରେ ପାର୍ଟି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳ ମୁଖ୍ୟ ଜେପି ନଡ୍ଡା ଏବଂ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆଇନ ମନ୍ତ୍ରୀ ତଥା ରାଜସ୍ଥାନରେ ଦଳର ବରିଷ୍ଠ ନେତା ଅର୍ଜୁନ ରାମ ମେଘଓ୍ବାଲ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଅଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ରାଜସ୍ଥାନ ପାଇଁ ପ୍ରାୟ 60 ରୁ 70ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏହି ବୈଠକରେ ଚୂଡାନ୍ତ ହେବ । ସେହିପରି ଅନ୍ୟତମ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ ପାଇଁ ମଧ୍ୟ 31ଟି ଆସନରେ ପ୍ରାର୍ଥୀଙ୍କୁ ଦଳ ଅନୁମୋଦନ ଦେଇପାରେ ।
ଚଳିତ ବର୍ଷ ଶେଷ ସୁଦ୍ଧା ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି 3ଟି ପର୍ଯ୍ୟାୟରେ ମୋଟ 79ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି । ସେହିପରି ରାଜସ୍ଥାନ ଓ ଛତିଶଗଡରେ ବିରୋଧୀ କଂଗ୍ରେସ ଶାସନରେ ଥିବା ବେଳେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ମଧ୍ୟ ଭଲ ଅଛି । ନିର୍ବାଚନ ହେବାକୁ ଯାଉଥିବା ଏକମାତ୍ର ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ କେସିଆରଙ୍କ ନେତୃତ୍ବରେ ଭାରତ ରାଷ୍ଟ୍ର ସମିତି କ୍ଷମତାରେ ରହିଛି ।