ନୂଆଦିଲ୍ଲୀ:ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଲା ଦିଲ୍ଲୀ ବିଧାନସଭା । ଆସନ୍ତାକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଣିଥିବା ଆସ୍ଥା ଭୋଟ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ (Kejriwals vote of confidence)। ଆଜି ଶାସକ ଦଳର ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଆପ ବିଧାୟକଙ୍କୁ ଦଳ ଛାଡିବା ପାଇଁ ବିଜେପି ପ୍ରଲୋଭିତ କରୁଥିବା ଓ ତାଙ୍କ ନିକଟରେ ଦଳର ସମସ୍ତ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିିଓ୍ବାଲ ।
ତେବେ କେଜ୍ରିଓ୍ବାଲ ଆଣିଥିବା ଆସ୍ଥା ଭୋଟ ପ୍ରସ୍ତାବ ନେଇ ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେଲେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି । ଆଜି ଗୃହରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିଓ୍ବାଲ । ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ, କେଜ୍ରିଓ୍ବାଲ କହିଛନ୍ତି, କେନ୍ଦ୍ର ସରକାର ଅତ୍ୟାବଶ୍ଯକ ତଥା ଦୈନଦିନ ସାମଗ୍ରୀର ଦରଦାମ ବଢାଇବାରେ ଲାଗିଛନ୍ତି । ଆରବପତି ଶିଳ୍ପପତି ବନ୍ଧୁଙ୍କ ଋଣ ଛାଡ ଯୋଗୁ କେନ୍ଦ୍ର ସରକାରଙ୍କୁ ଦରଦାମ ବଢାଇବାକୁ ପଡୁଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ।
ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଋଣ ଛାଡ କରିବା ନିଷ୍ପତ୍ତି ସରକାର ବନ୍ଦ କରିବା ସହ ଛାଡ ହୋଇଥିବା ରାଶି ଆଦାୟ କରିପାରିଲେ, ଦେଶରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇପାରିବ । କେନ୍ଦ୍ର ସରକାର ଗତ 5 ବର୍ଷ ମଧ୍ୟରେ ଦେଶର କିଛି ଆରବପତି ଶିଳ୍ପପତିଙ୍କର ପ୍ରାୟ 10 ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଦେଶରେ କୃଷକ କିମ୍ବା ଛାତ୍ରଙ୍କ ଋଣ ଛାଡ କରାଯାଉନି । କିନ୍ତୁ ଆରବପତି ଶିଳ୍ପପତି ବନ୍ଧୁଙ୍କର ଋଣ ଛାଡ କରିବାରେ ସରକାର ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।