ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଗତକାଲି ଠାରୁ ବାୟୁ ଗୁଣବତ୍ତା ଅସ୍ବାଭାବିକ ଭାବେ ହ୍ରାସ ପାଇବା ପରେ ଆଜି ସରକାର ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ସମଗ୍ର ଦିଲ୍ଲୀରେ 8ଟି ନୂଆ ସମ୍ବେଦନଶୀଳ ସ୍ଥାନ ତଥା ହଟସ୍ପଷ୍ଟ ଚିହ୍ନଟ କରାଯାଇଛି । ଆଗକୁ ଦୀପାବଳି ଆସୁଛି, ତେଣୁ ଏପରି ସ୍ଥିତିରେ ଆସନ୍ତା 2 ସପ୍ତାହ ରାଜଧାନୀର ପ୍ରଦୂଷଣ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ।
ଗତକାଲି ଠାରୁ ଦିଲ୍ଲୀ ଓ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ବାୟୁ ଗୁଣବତ୍ତାରେ ଅସ୍ବାଭାବିକ ହ୍ରାସ ଘଟିଛି । ପ୍ରଦୂଷଣ ଓ ବାୟୁମଣ୍ଡଳରେ ବିଷାକ୍ତ କଣିକାର ମାତ୍ରା ହଠାତ ବୃଦ୍ଧି ପାଇଛି । ଆଜି ସଚିବାଳୟରେ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଏକ ସମୀକ୍ଷା ବୈଠକ କରିଛନ୍ତି । ବର୍ତ୍ତମାନର ସ୍ଥିତି, ଆଗକୁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଅବସ୍ଥା ସମେତ ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ପ୍ରତିଷେଧକ ବ୍ୟବସ୍ଥା ଉପରେ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି । ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ରାୟ କହିଛନ୍ତି, ପ୍ରଦୂଷଣ ସମ୍ପର୍କରେ ଦିଲ୍ଲୀ ସରକାର ପଡୋଶୀ ରାଜ୍ୟମାନଙ୍କ ସହ ମଧ୍ୟ ଯୋଗାଯୋଗ କରୁଛନ୍ତି । ସେମାନେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି । ଏବେ ଦିଲ୍ଲୀରେ ଆଉ 8ଟି ନୂତନ ପ୍ରଦୂଷଣ ହଟସ୍ପଟ ଚିହ୍ନଟ ହୋଇଛି । ଏବେ ଏହି ସଂଖ୍ୟା 13କୁ ବୃଦ୍ଧି ପାଇଛି । ବୈଷୟିକ ଟିମ ଏହି ହଟସ୍ପଟ ଉପରେ ଅନୁଧ୍ୟାନ କରୁଛନ୍ତି । ଉକ୍ତ ସ୍ଥାନରେ ଅନ୍ଯସ୍ଥାନମାନଙ୍କ ଠାରୁ ଅପେକ୍ଷାକୃତ ପ୍ରଦୂଷଣ ମାତ୍ର କାହିଁକି ଅଧିକ ଓ ଏହା କାରଣ କଣ ସେ ସମ୍ପର୍କରେ ଟିମ ଅନୁଧ୍ୟାନ କରିବ । ଅନୁଧ୍ୟାନ ଆଧାରରେ ପରବର୍ତ୍ତୀ ତଥା ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ।