ଚେନ୍ନାଇ: ରାସ୍ତାରେ ଯିବନି ହୃଦରୋଗୀଙ୍କ ଜୀବନ ! ଟ୍ରାଫିକ ସିଗନାଲରେ ମିଳିବ ପ୍ରାଥମିକ ଚିକିତ୍ସା । ସହରରେ ହୃଦଘାତ ଓ ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ଚେନ୍ନାଇ ପୋଲିସ ନୂଆ ପଦକ୍ଷେପ ଗ୍ରହଣ କରିଛି । ହୃଦଘାତରେ ପୀଡିତ ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ସହାୟତା ପାଇଁ ଚେନ୍ନାଇ ସହରର ଟ୍ରାଫିକ ସିଗନଲାରେ ଅଟୋମେଟିକ ଏକ୍ସଟରନାଲ ଡେଫିବ୍ରିଲେଟର ବା AED ସ୍ଥାପନ କରାଯାଇଛି । ମୁଖ୍ୟତଃ ବିମାନ ବନ୍ଦର ଓ ରେଳ ଷ୍ଟେସନର ଏହି ଉପକରଣ ଲାଗୁଥିବାବେଳେ ତାମିଲନାଡୁରେ ପ୍ରଥମ ଥର ଏହାକୁ ଟ୍ରାଫିକ ସିଗନାଲରେ ଲଗାଯାଇଛି । ପ୍ରକାଶଥାଉକି, ଡେଫିବ୍ରିଲେଟର ହେଉଛି ଏକ ଚିକିତ୍ସା ଉପକରଣ, ଯାହାକି ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ନିୟନ୍ତ୍ରିତ କରିଥାଏ ।
ଚେନ୍ନାଇ ସହର ଅନ୍ତର୍ଗତ ତାମବରାମ ଥାନା ପାଖ ଟ୍ରାଫିକ ସିଗନାଲରେ ଏହି ଡେଫିବ୍ରିଲେଟର ସ୍ଥାପନ କରାଯାଇଛି । ତାମବରାମ ମ୍ୟୁନିସିପାଲ ପୋଲିସ ବିଭାଗ ଏକ ଘରୋଇ ସଂଗଠନର ମିଳିତ ସହାୟତାରେ ଏହାକୁ ସ୍ଥାପନ କରିଛି । ସାଧାରଣତଃ ଦୁର୍ଘଟଣା ପରେ ପୀଡିତ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହି କାରଣରୁ ମେଡିକାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥାଏ । ସେହିପରି ଅନେକ ସମୟରେ ହୃଦଘାତରେ ପୀଡିତ ବ୍ୟକ୍ତି ମେଡିକାଲରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥାନ୍ତି । ଟ୍ରାଫିକ ସିଗନାଲରେ ଲାଗିଥିବା ଡେଫିବ୍ରିଲେଟର ଏହିଭଳି ପୀଡିତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଫଳରେ ମେଡିକାଲରେ ପହଞ୍ଚିବା ଯାଏଁ ସେ ଜୀବନ ଧାରଣ କରିପାରିବେ । ଏହି ଉପକରଣ ବର୍ତ୍ତମାନ ଚେନ୍ନାଇ ବିମାନ ବନ୍ଦର ଓ ବଡ ବଡ ରେଳ ଷ୍ଟେସନରେ ଉପଲବ୍ଧ ରହିଛି । ହେଲେ ପ୍ରଥମ ଥର ପାଇଁ ତାମିଲନାଡୁ ସଡକରେ ଏହାକୁ ସ୍ଥାପନ କରାଯାଇଛି ।