ଲକ୍ଷ୍ନୌ:ଭାରତର ବହୁଚର୍ଚ୍ଚିତ ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଏଥିରେ ବହୁ ମହିଳା ବୈଜ୍ଞାନିକଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହାରି ମଧ୍ୟରେ ଅନ୍ୟତମ ହେଉଛନ୍ତି ଭାରତର ରକେଟ ଓମ୍ୟାନରେ ନାମରେ ପରିଚିତ ଲକ୍ଷ୍ନୌର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହିଳା ମହାକାଶ ବିଜ୍ଞାନୀ ରିତୁ କରିଧଲ । ଆଜି ଲକ୍ଷ୍ନୌରେ ରାଜନାଥ ସିଂ ଏକ କାର୍ଯ୍ୟକ୍ରମରେ ଭାରତର ଚନ୍ଦ୍ର ଅଭିଯାନକୁ ମନେ ପକାଇ ରିତୁଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ରିତୁ ଏହି ସଫଳ ମିଶନରେ ଏକ ବଳିଷ୍ଠ ଭୂମିକା ତୁଲାଇ ସମଗ୍ର ବିଶ୍ବକୁ ଗୌରବାନ୍ବିତ କରିଥିବା କହିଛନ୍ତି ରାଜନାଥ ।
ଆଜି ରାଜନାଥ ନିଜ ଗୃହ ସଂସଦୀୟ କ୍ଷେତ୍ର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ମହିଳା ମହାକାଶ ବିଜ୍ଞାନୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ‘‘ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ରେକର୍ଡ କରିପାରିଛି । ଆପଣ ଜାଣି ଖୁସି ହେବେ ଯେ ଲକ୍ଷ୍ନୌର ଜଣେ ମହିଳା ରିତୁ କରିଦାଲଙ୍କ ବିଷୟରେ ମୁଁ ଆଲୋଚନା କରୁଛି । ଯିଏ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଏହି ଐତିହାସିକ ମିଶନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଜି ଆମେ ତାଙ୍କୁ ରକେଟ୍ ଓମ୍ୟାନ ଭାବେ ଜାଣୁଛୁ । ସେ କେବଳ ଲକ୍ଷ୍ନୌ ପାଇଁ ନୁହନ୍ତି ବରଂ ଦେଶ ଓ ସମଗ୍ର ବିଶ୍ବ ପାଇଁ ଗୌରବ ସୃଷ୍ଟି କରିଛନ୍ତି ।”
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ଏବେ ଜଣେ ବରିଷ୍ଠ ରକେଟ ସାଇନଟିଷ୍ଟ ଭାବେ କାର୍ଯ୍ୟରତ ଡ.ରିତୁ କରିଦାଲ ଶ୍ରୀବାସ୍ତବ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ । ସେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଶେଷ କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଇସ୍ରୋର ମଙ୍ଗଳ ଗ୍ରହ ଅର୍ବିଟାଲ ମିଶନ ପାଇଁ ଡେପୁଟି ଅପରେସନ୍ ଡାଇରେକ୍ଟର ଭାବେ ଦାୟିତ୍ବରେ ଥିବା ବେଳେ ରିତୁ ଚର୍ଚ୍ଚାକୁ ଆସିଥିଲେ । ଏହି ମଙ୍ଗଳ ଅଭିଯାନ ପ୍ରଥମ ମିଶନରେ ସଫଳତା ସହ ଇତିହାସ ସୃଷ୍ଟି କରିଥିଲା । ଭାରତର ମହାକାଶ ବିଜ୍ଞାନରେ ରିତୁଙ୍କର ଗଭୀର ଯୋଗଦାନ ପାଇଁ ତାଙ୍କୁ ‘ରକେଟ୍ ଓମ୍ୟାନ’ ଭାବେ ମଧ୍ୟ ବିବେଚନା କରାଯାଏ ।