ନୂଆଦିଲ୍ଲୀ:ଦିଲ୍ଲୀରେ ଆୟୋଜିତ ସଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି.ଶାଙ୍ଗଫୁଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ବୈଠକ ହୋଇଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ଆଲୋଚନାରେ ମୁଖ୍ୟାଶଂ ଭାବେ ସ୍ଥାନ ପାଇଛି । 2020 ପୂର୍ବ-ଲଦାଖ ଗଲଓ୍ବାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଲାଗି ରହିଥିବା ବିବାଦ ଓ ଉତ୍ତେଜନାର ସମାଧାନ ପ୍ରସଙ୍ଗକୁ ଭାରତ ପକ୍ଷରୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଥିଲା । LACରେ ଲାଗି ରହିଥିବା ଉତ୍ତେଜନାର ତୁରନ୍ତ ସମାଧାନ ଦିଗରେ ଉଭୟ ଦେଶ ଆଲୋଚନା କରିଥିଲେ ।
ପୂର୍ବ-ଲଦାଖ ସଂଘର୍ଷ ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟେକ୍ଷ ଆଲୋଚନା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ଶୃଙ୍ଖଳା ଜାରି ରହିଛି । ଏହି ଆଲୋଚନା 18ତମ ରାଉଣ୍ଡରେ ପହଞ୍ଚିଛି । କିଛି ମାତ୍ରାରେ ଏହା ସଫଳ ମଧ୍ୟ ହୋଇଛି । ପ୍ରକୃତ ନିୟନ୍ତ୍ରଣ ରେଖାର କିଛି ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ଉଭୟ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ସୈନ୍ୟ ଅପସାରଣ କରିସାରିଛନ୍ତି । ହେଲେ ଗଲଓ୍ବାନ ଘାଟି ସଂଘର୍ଷ ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଔପଚାରିକ ବୈଠକ । ଏହି ବୈଠକରେ ମଧ୍ୟ ଭାରତ ପକ୍ଷରୁ ଏଲଏସିରେ ସଂଘର୍ଷ ଆଶଙ୍କା ହ୍ରାସ କରିବା ସହ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପ କରାଯାଇଛି ।