ନୂଆଦିଲ୍ଲୀ:ବିବାଦର ପରିସୀମାରୁ ବାହାରି ପାରୁନାହାନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆରଏସଏସ ବିରୋଧରେ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ପୁଣି ହରିଦ୍ବାର କୋର୍ଟରେ ଏକ ମାନହାନୀ ମାମଲା ରୁଜୁ କରିଛନ୍ତି ଜଣେ ସ୍ବଂୟ ସେବକ । ଭାରତ ଯୋଡୋ ଯାତ୍ରା ସମୟରେ ହରିୟାଣାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ ଏହି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ସ୍ବୟ ସଂଘ ଏକବିଶଂ ଶତାଦ୍ଦୀର କୌରବ ବୋଲି ରାହୁଲ କହିଥିବା ଅଭିଯୋଗରେ ମାମଲା ଦାଏର ହୋଇଛି ।
ଭାରତ ଯୋଡୋ ଯାତ୍ରା ହରିୟାଣାରେ ଥିବା ସମୟରେ ରାହୁଲ ଏହି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ରାହୁଲ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସଂଘକୁ କୌରବମାନଙ୍କ ସହ ତୁଳନା କରିଥିଲେ । ଏକବିଂଶ ଶତାବ୍ଦୀରେ ଖାକି ଓ ହାଫ ପ୍ୟାଣ୍ଟ ପିନ୍ଧି ଶାଖା ଚଳାଉଥିବା ସଂଘ ହିଁ କୌରବ ବୋଲି କହିଥିଲେ ରାହୁଲ । ସେହିପରି ଏହି ସଂଘ ପଛରେ ଦୁଇରୁ ତିନିଜଣ ବିତ୍ତଶାଳୀ ବ୍ୟକ୍ତିଙ୍କ ସହଯୋଗ ମଧ୍ୟ ରହିଥିବା ରାହୁଲ କହିଥିଲେ । ତେବେ ଏହି ମାମଲାର ଶୁଣାଣି 12 ତାରିଖରେ ହେବା ନେଇ ତାରିଖ ସ୍ଥିର ହୋଇଛି । ଆରଏସଏସ କର୍ମୀଙ୍କ ପକ୍ଷରୁ କରାଯାଇଥିବା ଏହି ମାମଲାରେ ତାଙ୍କ ଓକିଲ କହିଛନ୍ତି, ଭାରତୀୟ ସମ୍ବିଧାନର ଧାରା 499 ଓ ଆଇପିସିର 500 ଧାରା ଅନୁସାରେ ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ କୋର୍ଟରେ ମାମଲା କରାଯାଇଛି ।