ନୂଆଦିଲ୍ଲୀ:ଚନ୍ଦ୍ରପୃଷ୍ଠରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଦ୍ବାରା ପ୍ରେରିତ ଲ୍ୟାଣ୍ଡର ଓ ରୋଭର ନିଜର ଗବେଷଣା ଜାରି ରଖିଛନ୍ତି । ଆବିଷ୍କାର ହେବାକୁ ଥିବା ନୂଆ ତଥ୍ୟକୁ ସମଗ୍ର ଦେଶ ଓ ବିଶ୍ବବାସୀ ମଧ୍ୟ ଅପେକ୍ଷା କରିଛି । ଏହି ସମୟରେ ଚନ୍ଦ୍ରକୁ ନେଇ ମଧ୍ୟ ଧାର୍ମିକ ମନ୍ତବ୍ୟ ଓ ଅଜବ ଦାବି ସାମ୍ନାକୁ ଆସିଲାଣି । ଅନ୍ୟ କୌଣସି ବିଚାରଧାରାର ବ୍ୟକ୍ତି ଚନ୍ଦ୍ରପୃଷ୍ଠରେ ପହଞ୍ଚି ଜିହାଦ କିମ୍ବା କଠୋରପନ୍ଥୀ ବିଚାରକୁ ପ୍ରସାର କରିବା ପୂର୍ବରୁ ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି ଜଣେ ହିନ୍ଦୁ ସଂଗଠକ ।
କେବଳ ହିନ୍ଦୁରାଷ୍ଟ୍ର ନୁହେଁ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ଦକ୍ଷିଣ ମେରୁର ଭାରତ ନାମିତ ସ୍ଥାନ ‘ଶିବଶକ୍ତି ପଏଣ୍ଟ’କୁ ଚନ୍ଦ୍ରର ରାଜଧାନୀ ଭାବେ ମଧ୍ୟ ଘୋଷଣା କରୁ । ଭାରତ ସଂସଦରେ ଏକ ସଙ୍କଳ୍ପ ପାରିତ କରି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରୁ ବୋଲି ଅଜବ ଦାବି କରିଛନ୍ତି ଏହି ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଭାପତି ସ୍ବାମୀ ଚକ୍ରପାଣି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଚକ୍ରପାଣି ଏକ ଭିଡିଓ ଜାରି କରି ଭାରତର ଚନ୍ଦ୍ର ଅଭିଯାନର ସଫଳତା ଓ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି ପଏଣ୍ଟ’ ଭାବେ ନାମକରଣ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସେ କହିଛନ୍ତି, ଅନ୍ୟ କୌଣସି ଧର୍ମର ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ଭାରତ ଏକ ସଙ୍କଳ୍ପ ପାରିତ କରି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ । ଚନ୍ଦ୍ର ଶିବଙ୍କ ଜଟାରେ ରହିଛନ୍ତି । ଚନ୍ଦ୍ରକୁ ଚନ୍ଦା ମାମା ବୋଲି ମଧ୍ୟ କୁହାଯାଏ । ଅନ୍ୟ କୌଣସି ଧର୍ମର କେହି ଯାଇ ସେଠାରେ ଜିହାଦ ଓ ଆତଙ୍କବାଦ ପ୍ରସାର କରିବା ପୂର୍ବରୁ ସଂସଦରେ ଏକ ସଙ୍କଳ୍ପ ପାରିତ କରି ସରକାର ଏହି ଘୋଷଣା କରିବାକୁ ଚକ୍ରପାଣି ଦାବି କରିଛନ୍ତି ।