ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ଟିକା କୋଭାକ୍ସିନକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଆସନ୍ତା ସପ୍ତାହ କୋଭାକ୍ସିନକୁ ମାନ୍ୟତା ଦେବା ଉପରେ ନିଜ ନିଷ୍ପତ୍ତି ଶୁଣାଇବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଆସନ୍ତା ସପ୍ତାହରେ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେବ। ଜାତିସଂଘ କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA)କୁ ବିଳମ୍ବ କରିବାର ପ୍ରାୟ ଏକ ସପ୍ତାହ ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ବୟାନ ସାମ୍ନାକୁ ଆସିଛି ।
WHO ଏବଂ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଆସନ୍ତା ସପ୍ତାହରେ ବିପଦ ଓ ଲାଭ ଆକଳନ କରିବା ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା ପ୍ରଦାନ କରାଯିବ କି ନାହିଁ ତାହା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି ବୋଲି ଅନ୍ତରାଷ୍ଟ୍ରୀୟ ଜନସ୍ବାସ୍ଥ୍ୟ ପାଇଁ ଜାତିସଂଘ ଏଜେନ୍ସି ସିରିଜ ଟ୍ବିଟରେ ସୂଚନା ଦେଇଛି । ଭରତ ବାୟୋଟେକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ତଥ୍ୟ ଦାଖଲ କରିଛି ଏବଂ 27 ସେପ୍ଟେମ୍ବରରେ ଡବ୍ଲ୍ୟୁଏଚଓର ଅନୁରୋଧ କ୍ରମେ ଅତିରିକ୍ତ ସୂଚନା ଦାଖଲ କରାଯାଇଛି ବୋଲି ଟ୍ବିଟରେ ଉଲ୍ଲେଖ ରହିଛି ।