ଅମରାବତୀ: ଆନ୍ଧ୍ରପ୍ରଦେଶରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଥିବା ବେଳେ 50 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ 10 ଲକ୍ଷ, ଗୁରୁତର ଆହତଙ୍କୁ2.5 ଲକ୍ଷ ଓ ସାମାନ୍ୟ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାତୟା ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏଥିସହ ଦୁର୍ଘଟଣା ପରେ ରେଳମମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ରେଳମନ୍ତ୍ରୀ କଥା ହୋଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଓ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି । ନିଜ ରାଜ୍ୟର ମୃତକଙ୍କ ପରିବାର ପାଇଁ 10 ଲକ୍ଷ ସହାୟତା ରାଶି ଓ ଆହତଙ୍କ ପାଇଁ 2 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି।