ପ୍ରୟାଗରାଜ: ଦେଶର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ଦେଖାଦେଇଛି ଅକ୍ସିଜେନ ସଙ୍କଟ । ଅନେକ ସ୍ଥାନରେ ଅକ୍ସିଜେନ ଅଭାବ ଯୋଗୁଁ ହେଉଛି ରୋଗୀଙ୍କର ମୃତ୍ୟୁ । ତେବେ ଏହି ପରିପ୍ରେକ୍ଷୀରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ଏକ ଅପରାଧିକ କୃତ୍ୟ । ଏହାସହ ଶତ ପ୍ରତିଶତ ଅକ୍ସିଜେନ ଯୋଗାଇବା ଦାୟିତ୍ବ ଦିଆଯାଇଥିବା ଯେଉଁ ଅଧିକାରୀ ଏଥିରେ ବିଫଳ ହୋଇଛନ୍ତି ତାଙ୍କ ପାଇଁ ଏହା ‘ନର ସଂହାର’ ଠାରୁ କମ୍ ନୁହେଁ ବୋଲି କହିଛନ୍ତି କୋର୍ଟ ।
ଲକ୍ଷ୍ନୌ ଓ ମେରଠର ହସ୍ପିଟାଲରେ କୋଭିଡ-19 ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହେବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ ଳକ୍ଷ୍ନୌ ଓ ମେରଠ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ପାଇଁ 48 ଘଣ୍ଟାର ସମୟ ଦେଇଛନ୍ତି କୋର୍ଟ ।
ବିଚାରପତି ସିଦ୍ଧାର୍ଥ ବର୍ମା ଓ ବିଚାରପତି ଅଜିତ କୁମାରଙ୍କ ମିଳିତ ଖଣ୍ଡପୀଠ ରାଜ୍ୟରେ ସଂକ୍ରମଣର ବୃଦ୍ଧି ଓ ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସମ୍ବନ୍ଧୀୟ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଉଭର ଲକ୍ଷ୍ନୌ ଓ ମେରଠ ଜିଲ୍ଲାପାଳଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତ ରିପୋର୍ଟ ଦାଲ କରିବା ସହ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।