ମୁମ୍ବାଇ:ମହାରାଷ୍ଟ୍ରର ଦୁଇଟି ସରକାରୀ ହସ୍ପିଟାଲରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ୪୯ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହେବାକୁ ନେଇ ରାଜ୍ୟର ସ୍ବାସ୍ଥ୍ୟ ସେବା ଓ ଭିତ୍ତିଭୂମି ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ସର୍ବାଧିକ ୩୬ ଘଣ୍ଟା ମଧ୍ୟରେ ୩୧ ରୋଗୀଙ୍କ ମୃତ୍ୟୁ ହୋଇଥିବା ନନ୍ଦେଡ ହସ୍ପିଟାଲ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ରୋଗୀ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ସାଂସଦ ହସ୍ପିଟାଲରେ ପହଞ୍ଚି ସ୍ଥିତି ପରଖିଥିଲେ । ଡିନଙ୍କୁ ଶୌଚାଳୟ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିନ୍ ମଧ୍ୟ ଶୌଚାଳୟ ସଫା କରିଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଶାସନରେ ଥିବା ଶିବସେନାର ସାଂସଦ ହେମନ୍ତ ପାଟିଲ ଆଜି(ମଙ୍ଗଳବାର) ଅପରାହ୍ନରେ ହସ୍ପିଟାଲରେ ପହଞ୍ଚିଥିଲେ । ସେ ସେଠାରେ ସ୍ଥିତି ସମୀକ୍ଷା କରିବା ସହ ଆବର୍ଜନା ଓ ଅପରିଚ୍ଛନ୍ନତା ଦେଖି ବିରକ୍ତି ପ୍ରକାଶ କରିଥିଲେ । ହସ୍ପିଟାଲ ପରିସରରେ ଥିବା ଏକ ଶୌଚାଳୟକୁ ସେ ଡିନଙ୍କ ଦ୍ବାରା ସଫା କରାଇଥିବା କୁହାଯାଉଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ନିକଟରେ ସାଂସଦ ଛିଡା ହୋଇ ନିଜେ ପାଇପରେ ପାଣି ଚଳାଉଥିବା ବେଳେ ଡିନ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ସାଂସଦ ଅନ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସ୍ବଚ୍ଛ୍ବତା ନେଇ ବିରକ୍ତି ଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମଧ୍ୟ ସାଂସଦ ଚେତାବନୀ ଦେଇଥିବା କୁହାଯାଉଛି ।