ନୂଆଦିଲ୍ଲୀ:ବୃଦ୍ଧଙ୍କ ଅନ୍ତିମ ସଂସ୍କାର ସମୟରେ ଦିଲ୍ଲୀ ଟିକରି ଖୁର୍ଦ ଅଞ୍ଚଳରେ ହଠାତ୍ ହତବାକ୍ ହୋଇଗଲେ ଉପସ୍ଥିତ ଲୋକେ । କାରଣ ଘଟଣା ସେମିତି କିଛି ଘଟିଥିଲା ଯାହାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିନଥିଲେ ବନ୍ଧୁ ପରିଜନ । ବୃଦ୍ଧଙ୍କ ଅନ୍ତିମ ସଂସ୍କାରର ଠିକ ଗୋଟିଏ ମିନିଟ ପୂର୍ବରୁ ଆଖି ଖୋଲିଥିଲା ବୃଦ୍ଧଙ୍କ ମୃତଦେହ । ଆଉ କିଛି ଗୁଣୁ ଗୁଣାଇଥିଲା ମଧ୍ୟ । ଏହାପରେ ପରିବାର ଲୋକେ ତାଙ୍କୁ ପୋଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେ ଜୀବିତ ଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳର ସତିଶ ଭରଦ୍ବାଜ ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହି ବୃଦ୍ଧଙ୍କୁ ପ୍ରାୟ ୧୧ ଜଣ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଶ୍ମଶାନଘାଟକୁ ନେଇଥିଲେ । ପ୍ରାୟ ୩ଟା ସମୟରେ ଅନ୍ତିମ ସଂସ୍କାର ପୂର୍ବରୁ ଯେତେବେଳେ ପରିବାର ଲୋକେ ବୃଦ୍ଧଙ୍କ ମୁହଁରେ ଗଙ୍ଗାଜଳ ଦେଇଥିଲେ । ଠିକ୍ ସେତିକି ବେଳେ ବୃଦ୍ଧ ଜଣକ ଆଖି ଖୋଲିବା ସହିତ କିଛି କହିଥିଲେ ।