ଓଡିଶା

odisha

ETV Bharat / bharat

DDC ନିର୍ବାଚନ: ଗୁପକାରକୁ ବହୁମତ, ସର୍ବବୃହତ ଦଳ ହେଲା BJP - ଡିଡିସି ନିର୍ବାଚନ ଫଳାଫଳ

ଡିଡିସି ନିର୍ବାଚନରେ ଯଦିଓ ଗୁପକାର ମେଣ୍ଟ ବହୁମତ ହାସଲ କରିଛି, ହେଲେ ଏବେସୁଦ୍ଧା 75ଟି ଆସନ ଜିତି ଗୈରୀକ ଦଳ ବିଜେପି ସବୁଠୁ ବଡ ପାର୍ଟି ହୋଇ ଉଭା ହୋଇଛି । ଅଧିକ ପଢନ୍ତୁ...

DDC ନିର୍ବାଚନ: ଗୁପକାରକୁ ବହୁମତ, ସର୍ବବୃହତ ଦଳ ହୋଇ ଉଭା ହେଲା BJP
DDC ନିର୍ବାଚନ: ଗୁପକାରକୁ ବହୁମତ, ସର୍ବବୃହତ ଦଳ ହୋଇ ଉଭା ହେଲା BJP

By

Published : Dec 23, 2020, 5:03 PM IST

ଶ୍ରୀନଗର: କ୍ରମାଗତ ଅଶାନ୍ତି ଓ ଆତଙ୍କବାଦକୁ ସାମ୍ନା କରୁଥିବା ଜମ୍ମୁ କାଶ୍ମୀରର ଜନସାଧାରଣ କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ଦେଇଛନ୍ତି ଜନମତ । ସୀମା ପାର ପାକିସ୍ତାନକୁ ବୁଲେଟର ଜବାବ ବାଲାଟରେ ମିଳିଛି । ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନର ମତଗଣନା ପାଖାପାଖି ପୁରା ହୋଇସାରିଛି । ଏହି ନିର୍ବାଚନ ବିଜେପି ପାଇଁ ରହିଥିଲା ବେଶ ଖାସ ।

ଡିଡିସି ନିର୍ବାଚନରେ ଯଦିଓ ଗୁପକାର ମେଣ୍ଟ ବହୁମତ ହାସଲ କରିଛି, ହେଲେ ଏବେସୁଦ୍ଧା 75ଟି ଆସନ ଜିତି ବିଜେପି ସବୁଠୁ ବଡ ପାର୍ଟି ହୋଇ ଉଭା ହୋଇଛି । ସେପଟେ ଘାଟିର କାଶ୍ମୀର ଉପରେ ଯଦି ନଜର ପକାଇବା ତେବେ ବିଜେପି ଏଠାରେ କୌଣସି କମାଲ ଦେଖାଇ ପାରିନଥିବା ବେଳେ 3ଟି ସିଟରେ ପଦ୍ମ ଫୁଟାଇବାରେ ହୋଇଛି ସଫଳ ।

DDC election

280ରୁ 276ସିଟର ଫଳାଫଳ ସାମ୍ନାକୁ ଆସିସାରିଛି । ଗୁପକାର ମେଣ୍ଟର ନ୍ୟାସନାଲ କନଫ୍ରେନ୍ସ 67, ପିଡିପି 27 ଓ କଂଗ୍ରେସ 26ଟି ଆସନ ଜିତିଛନ୍ତି । ଗୁପକାର ମେଣ୍ଟର ଏହି ପ୍ରଦର୍ଶନରେ ବେଶ ଖୁସି ରହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା । ମେହବୁବା ଲେଖିଛନ୍ତି, ଶାନ୍ତି ଓ ନିରପେକ୍ଷ ଭାବେ ହୋଇଥିବା ନିର୍ବାଚନ ଗଣତନ୍ତ୍ରର ବିଜୟ ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ଜମ୍ମୁ କାଶ୍ମୀରର ଡିଡିସି ନିର୍ବାଚନରେ ଯେଉଁ ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି ତାହା ଗୁପକାରକୁ ବେଶ ଉତ୍ସାହିତ କରିଛି । ସେ ଲେଖିଛନ୍ତି, ବିଜେପି ଏହି ନିର୍ବାଚନକୁ ଧାରା 370 ଓ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତାକୁ ନେଇ ପ୍ରତିଷ୍ଠାର ବିଷୟରେ ପରିବର୍ତ୍ତିତ କରିଦେଇଥିଲା । ହେଲେ ଏବେ ଲୋକେ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଓମାର ।

ଡିଡିସି ନିର୍ବାଚନରେ ଫଳାଫଳ ବିଜେପି ପାଇଁ ବେଶ ଉତ୍ସାହଜନକ କୁହାଯାଇପାରେ । ହେଲେ କାଶ୍ମୀର ଘାଟିରେ ଦଳର ସ୍ଥିତି ଏବେ ବି ଦୁର୍ବଳ ନଜର ଆସୁଛି । ଘାଟିରେ ବିଜେପି 3ଟି ସିଟ କବଜା କରିବାରେ ସଫଳ ହୋଇଛି । ଦଳ ଶ୍ରୀନଗର, ପୁଲୱାମା ଓ ବାନ୍ଦୀପୋରାରେ 3ଟି ଆସନ ଜିତିଛି । ଏହା ବିଜେପି ପାଇଁ ବଡ ବରିବର୍ତ୍ତନର ସଙ୍କେତ । ଜମ୍ମୁ କାଶ୍ମୀରରେ ବିଜେପି 10ରୁ 6ଟି ଜିଲ୍ଲାରେ ହାସଲ କରିସାରିଛି ବହୁମତ ।

ଏହି ନିର୍ବାଚନ ଏଥିପାଇଁ ସ୍ମରଣୀୟ ହୋଇ ରହିବ କାରଣ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ହୋଇଛି ପ୍ରଥମ ଗଣତାନ୍ତ୍ରିକ ପ୍ରକ୍ରିୟା । ମୋଟ 280ଟି ଆସନ ପାଇଁ 8ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଡିଡିସି ନିର୍ବାଚନ ।

28 ନଭେମ୍ବରରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଶନିବାର ଶେଷ ହୋଇଥିଲା । 8ଟି ପର୍ଯ୍ୟାୟରେ ହାରାହାରି 51 ପ୍ରତିଶତ ହୋଇଛି ମତଦାନ । କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରୀ ଶାସନର ଏକ ନୂଆ ଅଧ୍ୟାୟ ସୃଷ୍ଟି କ୍ଷେତ୍ରରେ ହଲକା ପଞ୍ଚାୟତ ଓ ବ୍ଲକ ଡେଭଲପମେଣ୍ଟ କାଉନସିଲର ସାକ୍ଷୀ ରହିବ ଡିଡିସି । ଜିଲ୍ଲା ଯୋଜନା ଏବଂ ପୁଞ୍ଜି ବ୍ୟୟ ପ୍ରସ୍ତୁତି ଏବଂ ଅନୁମୋଦନ କରିବାକୁ ଡିଡିସିଗୁଡିକ ଏହି ଅଞ୍ଚଳର ସମସ୍ତ ଜିଲ୍ଲାର ଯୋଜନା ଏବଂ ବିକାଶ ବୋର୍ଡରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details