ହାଇଦ୍ରାବାଦ:ଦିଲ୍ଲୀ ସୁଲତାନପୁରୀର କାଞ୍ଝୱାଲା କାର ଟ୍ରାଜେଡି ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ । ଘଟଣାକୁ 5 ଦିନ ବିତି ସାରିଥିବା ବେଳେ ଦିଲ୍ଲୀ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଆଜି (ଗୁରୁବାର) ଅସନ୍ତୋଷ ବ୍ୟକ୍ତ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମାମଲାର ତଦନ୍ତ ଭାର ହସ୍ତାନ୍ତର କରିବା ପାଇଁ ସେ ସୁପାରିଶ କରିବେ ବୋଲି ସ୍ବାତୀ କହିଛନ୍ତି (DCW chief dissatisfied with police probe) ।
ଘଟଣା ସମ୍ପର୍କରେ ପ୍ରଥମ ଦିନରୁ ଉଦବେଗ ପ୍ରକାଶ କରିଥିଲେ ସ୍ବାତୀ । ଘଟଣା ସାମ୍ନାକୁ ଆସିବା ପରେ ସେ ଦିଲ୍ଲୀ ପୋଲିସକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆୟୋଗ ନିକଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତବେ ଆଜି ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସ୍ବାକ୍ଷାତକାରରେ ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି (DCW chief dissatisfied with police probe) । ଦିଲ୍ଲୀ ପୋଲିସର ତଦନ୍ତ ଶୈଳୀରୁ ପୀଡିତାକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବା ପରି ସମ୍ଭାବନାକୁ ଏଡାଇବା ସହ ମାମଲାର ସମ୍ବେଦନଶୀଳତାକୁ ଦେଖି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ତଦନ୍ତ ହସ୍ତାନ୍ତର କରିବା ପାଇଁ ସେ ସୁପାରିଶ କରିବେ ବୋଲି କହିଛନ୍ତି ।
ସିଧାସଳଖ ଦିଲ୍ଲୀ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହ ସ୍ବାତୀ କହିଛନ୍ତି, "ମୁଁ ଦିଲ୍ଲୀ ପୋଲିସର କାର୍ଯ୍ୟରେ ସନ୍ତୁଷ୍ଟ ନୁହେଁ । ମୁଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରୁଛି । ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ମୃତକ ଅଞ୍ଜଳିଙ୍କ ବାନ୍ଧବୀ ତଥା ସେଦିନ ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶୀ ନିଧିଙ୍କ ଫୋନ ଜବତ କରିନାହିଁ । ସମଗ୍ର ଘଟଣାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ତେବେ ତଦନ୍ତ ଜାରି ରହିଥିଲେ ସୁଦ୍ଧା ଏହା କାହିଁକି ଜବତ କରାଗଲା ନାହିଁ ?’’